ଅହମ୍ମଦାବାଦ,୩୦।୪: ଆଇପିଏଲ ୨୦୨୬ରେ ପୁଣି ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଅଧିନାୟକ ରଜତ ପାଟିଦାରଙ୍କ ଆଉଟ୍କୁ ନେଇ ରଣକ୍ଷେତ୍ର ପାଲଟିଥିଲା ମଇଦାନ। ପରିସ୍ଥିତି ଏପରି ହୋଇଥିଲା ଯେ, ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ ଦଳର ମୁଖ୍ୟ କୋଚ ଆଣ୍ଡି ଫ୍ଲାୱାର ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା।
ମ୍ୟାଚ୍ର ୮ମ ଓଭରରେ ଏହି ଘଟଣା ଘଟିଥିଲା। ରଜତ ପାଟିଦାର ଦମଦାର ଫର୍ମରେ ଥିଲେ। ଅରଶଦ ଖାନଙ୍କ ବଲ୍ରେ ଏକ ଆକାଶଛୁଆଁ ଛକା ମଧ୍ୟ ମାରିଥିଲେ। କିନ୍ତୁ ଓଭରର ଚତୁର୍ଥ ବଲ୍ରେ ସେ ଏକ ବଡ଼ ସଟ ଖେଳିବାକୁ ପ୍ରୟାସ କରି ବ୍ୟାଟ୍ର ଉପର ଭାଗରେ ବାଜି ବଲ ବ୍ୟାକୱାର୍ଡ ସ୍କୋୟାର ଲେଗ୍କୁ ଯାଇଥିଲା। ସେଠାରେ ଫିଲ୍ଡିଂ କରୁଥିବା ଅଲରାଉଣ୍ଡର ଜେସନ ହୋଲ୍ଡର ଏକ ଚମତ୍କାର କ୍ୟାଚ ଧରିଥିଲେ।
ହେଲେ ରିପ୍ଲେ’ରେ ଦେଖାଯାଉଥିଲା ଯେ, କ୍ୟାଚ ଧରିବା ସମୟରେ ବଲ ସାମାନ୍ୟ ଭୂମିକୁ ସ୍ପର୍ଶ କରିଛି। ଆରସିବି ଶିବିର ଏହାକୁ ’ନଟ ଆଉଟ’ ବୋଲି ଭାବୁଥିବା ବେଳେ ତୃତୀୟ ଅମ୍ପାୟାର ସମସ୍ତଙ୍କୁ ଚକିତ କରି ପାଟିଦାରଙ୍କୁ ’ଆଉଟ’ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ପରେ ବିରାଟ କୋହଲି ଏବଂ ଆଣ୍ଡି ଫ୍ଲାୱାର ଅତ୍ୟନ୍ତ କ୍ଷୁବ୍ଧ ହୋଇ ଚତୁର୍ଥ ଅମ୍ପାୟାରଙ୍କ ପାଖକୁ ଯାଇ ପ୍ରଶ୍ନ କରିଥିଲେ। ଏହି କାରଣରୁ ପ୍ରାୟ ୨-୩ ମିନିଟ ପର୍ଯ୍ୟନ୍ତ ଖେଳ ବନ୍ଦ ରହିଥିଲା।
ସୂଚନା ଅନୁଯାୟୀ, ତୃତୀୟ ଅମ୍ପାୟାରଙ୍କ ମତରେ ଯେତେବେଳେ ହୋଲ୍ଡର କ୍ୟାଚ ଧରିଥିଲେ, ସେତେବେଳେ ବଲ ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ (Control) ଥିଲା। ବଲ ଜମିରେ ବାଜିବା ପୂର୍ବରୁ ହିଁ କ୍ୟାଚ ପ୍ରକ୍ରିୟା ଶେଷ ହୋଇସାରିଥିଲା। ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ପ୍ରଶଂସକମାନେ ଏହାକୁ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ବୋଲି କହୁଥିବା ବେଳେ ଆରସିବି ପ୍ରଶଂସକମାନେ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଆଇପିଏଲ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଏଭଳି ବିବାଦୀୟ ନିଷ୍ପତ୍ତି ମ୍ୟାଚ୍ର ଗତିପଥ ବଦଳାଇ ଦେଉଥିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।