ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନର ଦ୍ୱିତୀୟ ବୃହତ୍ତମ ସହର ଯୋଧପୁରରେ ଜିଲା ପ୍ରମୁଖ ନିର୍ବାଚନ ଫଳାଫଳ ଘୋଷଣା ହେବା ମାତ୍ରେ ରାଜନୈତିକ ମହଲରେ ହଲଚଲ ସୃଷ୍ଟି ହୋଇଛି। ଜିଲା ପ୍ରମୁଖ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରମିଳା ଚୌଧୁରୀ ୩୬ଟି ଭୋଟ ପାଇ ଚମତ୍କାର ବିଜୟ ହାସଲ କରିଛନ୍ତି। ଅନ୍ୟପଟେ ଭାଜପା ପ୍ରାର୍ଥୀଙ୍କୁ ମାତ୍ର ୭ଟି ଭୋଟ ମିଳିଛି। ନିର୍ବାଚନରେ ଭାଜପାର ଗୋଟିଏ ଭୋଟ କ୍ରସ ଭୋଟିଂ ହେବା ଯୋଗୁ ରାଜନୈତିକ ସମୀକରଣ ବଦଳିଯାଇଛି। ଏହା ଭାଜପା ପାଇଁ ଏକ ବଡ଼ ଝଟକା ସାଜିଛି। ଫଳାଫଳ ଘୋଷଣା ପରେ କଂଗ୍ରେସ ଶିବିରରେ ଉତ୍ସବର ମାହୋଲ ଥିବାବେଳେ ଭାଜପା ଶିବିରରେ କ୍ରସ ଭୋଟିଂକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ବିଜୟ ପରେ ପୂର୍ବତନ ସାଂସଦ ବଦ୍ରୀରାମ ଜାଖଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଜସ୍ଥାନରେ କଂଗ୍ରେସର ଜବରଦସ୍ତ ଲହର ଚାଲିଛି ଏବଂ ଭାଜପାିମୂଳପୋଛ ହୋଇଯାଇଛି।
ଜାଖଡ଼ଙ୍କ ଦାବି ଅନୁଯାୟୀ, କଂଗ୍ରେସ ସପକ୍ଷରେ ଦଳର ୩୨ଟି ଭୋଟ ପଡ଼ିଥିବାବେଳେ ଆରଏଲପିର ୩ ଜଣ ସଦସ୍ୟ ସମର୍ଥନ ଜଣାଇଥିଲେ। ଏଥିସହ ଭାଜପା ପକ୍ଷରୁ ମଧ୍ୟ ଗୋଟିଏ ଭୋଟ କଂଗ୍ରେସ ସପକ୍ଷରେ ପଡ଼ିଥିଲା। ଏହା ସମ୍ପୃକ୍ତ ଭାଜପା ସଦସ୍ୟଙ୍କ ନିଜସ୍ବ ଇଚ୍ଛା ଓ ଭାବନା ଥିଲା ବୋଲି ସେ କହିଛନ୍ତି।
ଭାଜପା ନେତାଙ୍କୁ ଟାର୍ଗେଟ କରି ଜାଖଡ଼ କହିଛନ୍ତି ଯେ, ସେ ପୂର୍ବରୁ ଜୋଗାରାମ ପଟେଲଙ୍କୁ କହିଥିଲେ ଯେ, ତାଙ୍କ ପାଖରେ ବହୁମତ ନାହିଁ। ତେଣୁ ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବା ଉଚିତ୍ ନଥିଲା। ଅଶୋକ ଗେହଲଟଙ୍କ ଯାଦୁ କାମ କରିଛି ଏବଂ ଆଗାମୀ ଦିନରେ ପୁଣି ଥରେ ତାଙ୍କ ନେତୃତ୍ୱର ପତାକା ଉଡ଼ିବ ବୋଲି ସେ ଦାବି କରିଛନ୍ତି।