Categories: ଜାତୀୟ

ହାରିଗଲେ ସୁଭାଷ ଚନ୍ଦ୍ରା

ଜୟପୁର,୧୧।୬: ରାଜସ୍ଥାନରୁ ରାଜ୍ୟ ସଭା ପାଇଁ ଲଢ଼ୁଥିବା ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଯାଇଛନ୍ତି। ବିଜୟ ପାଇଁ ୪୧ ଭୋଟ ଆବଶ୍ୟକ ଥିବାବେଳେ ତାଙ୍କୁ ଭାଜପାରୁ ୨୭ ଓ ଆର୍‌ଏଲ୍‌ପିରୁ ୩ ଭୋଟ ମିଳିଥିଲା। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିଓ୍ବାରୀ ଉକ୍ତ ଆସନରୁ ବିଜୟୀ ହୋଇଛନ୍ତି। ଅନ୍ୟ ୩ ଆସନରୁ କଂଗ୍ରେସର ମୁକୁଲ ଓ୍ବାସନିକ, ରଣଦୀପ ସୁର୍ଜଓ୍ବୋଲା ଏବଂ ଭାଜପାରୁ ଘନଶ୍ୟାମ ତିଓ୍ବାରୀ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି।

ରାଜସ୍ଥାନ ବିଧାନସଭାରେ ଭାଜପାର ୭୧ ଭୋଟ ଥିବାବେଳେ ଦଳୀୟ ପ୍ରାର୍ଥୀ ଘନଶ୍ୟାମ ତିଓ୍ବାରୀଙ୍କୁ ଅଧିକ ଦୁଇଟି ଭୋଟ ମିଳିଥିଲା ଏବଂ ବିଧାୟିକା ଶୋଭାରାଣୀ କୁଶଓ୍ବାହା କ୍ରସ୍‌ ଭୋଟିଂ କରିଥିଲେ। ଫଳରେ ଚନ୍ଦ୍ରାଙ୍କୁ ମିଳିବାକୁ ଥିବା ଭୋଟ ଭାଗ ହ୍ରାସ ପାଇଥିଲା। ସୂଚନାଯୋଗ୍ୟ, ଅନ୍ୟ ଦଳର ବିଧାୟକଙ୍କ କ୍ରସ୍‌ ଭୋଟିଂ ବଳରେ ସେ ବିଜୟୀ ହେବେ ବୋଲି ୩ ଦିନ ପୂର୍ବରୁ ଚନ୍ଦ୍ରା କହିଥିଲେ।

Share