ନିର୍ବାଚନରେ ହାରିଗଲେ ବିଧାୟକଙ୍କ ପିଏଙ୍କ ପତ୍ନୀ; ଗାଁରୁ ଖୋଲି ନେଇଗଲେ…

ଜୟପୁର,୨୨।୧୧: ନିର୍ବାଚନରେ ପରାଜୟ ପରେ ଗାଁରୁ ଖୋଲି ନିଆଗଲା ଷ୍ଟ୍ରିଟ୍‌ ଲାଇଟ୍‌। ଏଭଳି ଏକ ରୋଚକ ଘଟଣା ରାଜସ୍ଥାନର ଟୋଙ୍କ ଜିଲାରୁ ସାମ୍ନାକୁ ଆସିଛି । ପଞ୍ଚାୟତ ସମିତି ନିର୍ବାଚନରେ ଜଣେ ବିଧାୟକଙ୍କ ପିଏଙ୍କ ପତ୍ନୀ ପରାଜିତ ହେବା ପରେ ଗାଁରେ ଲାଗିଥିବା ପ୍ରାୟ ୫୦ଟି ଷ୍ଟ୍ରିଟ୍‌ ଲାଇଟ୍‌ ଖୋଲି ନିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

ସୂଚନା ଅନୁସାରେ, ଟୋଙ୍କ ଜିଲାର ପିପଲୁ ପଞ୍ଚାୟତ ସମିତିର ୱାର୍ଡ ନମ୍ବର-୨ରୁ ନିୱାଇ ବିଧାୟକ ରାମ ସହାୟ ବର୍ମାଙ୍କ ପିଏଙ୍କ ପତ୍ନୀ ପ୍ରିୟଙ୍କା ଶର୍ମା ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ନିର୍ବାଚନ ଲଢ଼ୁଥିଲେ। ଦୀପାବଳି ପୂର୍ବରୁ ଗାଁ ଓ ଢାଣିଗୁଡ଼ିକରେ ପ୍ରାୟ ୫୦ଟି ରୋଡ୍‌ ଲାଇଟ୍‌ ଲଗାଯାଇଥିଲା। ଏହାଦ୍ୱାରା ଗାଁର ଅନ୍ଧାର ଦୂର ହୋଇଥିବାରୁ ଲୋକେ ଖୁସି ହୋଇଥିଲେ। ରାତିରେ ଯାତାୟାତ ପାଇଁ ଏହି ଲାଇଟ୍‌ଗୁଡ଼ିକ ବେଶ୍‌ ସହାୟକ ହେଉଥିଲା । କିନ୍ତୁ ନିର୍ବାଚନ ଫଳାଫଳ ଆସିବାର କିଛି ଘଣ୍ଟା ପରେ ସ୍ଥିତି ବଦଳିଯାଇଥିଲା। ପ୍ରିୟଙ୍କା ଶର୍ମା ନିର୍ବାଚନରେ ହାରିବା ପରେ ବିଦ୍ୟୁତ୍‌ ବିଭାଗର ଗାଡ଼ି ଗାଁରେ ପହଞ୍ଚି ଲାଇଟ୍‌ଗୁଡ଼ିକୁ ଖୋଲି ନେଇଥିବା ଗ୍ରାମବାସୀ କହିଛନ୍ତି।

ପ୍ରିୟଙ୍କା ଶର୍ମା ପରାଜିତ ହେବା ପରେ ପିପଲୁ ବିଦ୍ୟୁତ୍‌ ନିଗମର ଗାଡ଼ି ଆସି ଲାଇଟ୍‌ଗୁଡ଼ିକୁ ଖୋଲି ନେଇଥିଲା। ଗ୍ରାମବାସୀ ଏହାର ବିରୋଧ କରିବାରୁ ଲାଇଟ୍‌ଗୁଡ଼ିକ ଅବୈଧ ଭାବେ ଲଗାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଗ୍ରାମବାସୀଙ୍କ ପ୍ରଶ୍ନ, ଯଦି ଲାଇଟ୍‌ଗୁଡ଼ିକ ଅବୈଧ ଥିଲା, ତେବେ ଲଗାଯିବା ସମୟରେ ବିଭାଗ କାହିଁକି ପଦକ୍ଷେପ ନେଇ ନଥିଲା? ନିର୍ବାଚନ ଫଳାଫଳ ଆସିବା ପରେ ହିଁ କାହିଁକି ଏହାକୁ ହଟାଗଲା ବୋଲି ପ୍ରଶ୍ନ ଉଠିଛି ।

 

Dharitri – Odisha’s No.1 Odia Daily

Share