Categories: ଜାତୀୟ

ବିମାନ ବନ୍ଦରରେ ଜନ୍ମଦିନ ପାଳିଲେ ୟୁକ୍ରେନରୁ ଫେରିଥିବା ଛାତ୍ର

ନୂଆଦିଲ୍ଲୀ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଇତିମଧ୍ୟରେ ଯୁଦ୍ଧ ଅଞ୍ଚଳରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ରହିଛି। ସ୍ବଦେଶକୁ ଫେରିବା ପରେ ଛାତ୍ର ଓ ତାଙ୍କ ପରିବାର ମଧ୍ୟରେ ଏକ ପ୍ରକାର ଖୁସିର ମାହୋଲ ଖେଳିଯାଇଛି। ଇତିମଧ୍ୟରେ ଶନିବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ଏକ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା। ରାଜସ୍ଥାନର ମନ୍ତ୍ରୀମାନେ ୟୁକ୍ରେନରୁ ଫେରିଥିବା ଛାତ୍ରଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିବା ନଜର ଆସିଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନରୁ ଭାରତକୁ ଫେରିଥିବା ଛାତ୍ରମାନେ ନିରାପଦରେ ନିଜ ଘରେ ପହଞ୍ଚିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ମନ୍ତ୍ରୀମାନଙ୍କୁ ନିୟୋଜିତ କରିଛନ୍ତି। ତେବେ ଶନିବାର ୟୁକ୍ରେନରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ଉଦୟପୁରର ଅକ୍ଷତଙ୍କ ଜନ୍ମଦିନ ବିମାନବନ୍ଦରରେ ପାଳନ କରାଯାଇଥିଲା। ଜନ୍ମଦିନ ପାଳନ କରିବାରେ କ୍ୟାବିନେଟ ମନ୍ତ୍ରୀ ଟିକରାମ ଜୁଲି, ମନ୍ତ୍ରୀ ସୁଭାଷ ଗର୍ଗ ସାମିଲ ହୋଇଥିଲେ। ଅକ୍ଷତଙ୍କ ଜନ୍ମଦିନ ଜାଣିବା ମାତ୍ରେ ସେ ବିମାନବନ୍ଦରରେ କେକ୍‌ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅକ୍ଷତ କେକ୍‌ କାଟିବା ସମୟରେ ମନ୍ତ୍ରୀମାନେ ତାଙ୍କ ପିତାମାତାଙ୍କୁ ଭିଡିଓ କଲ୍‌ କରିଥିଲେ। ଭିଡିଓ କଲ୍‌ ପରେ ଅକ୍ଷତଙ୍କୁ ନିରାପଦରେ ଦେଶକୁ ଫେରିବା ପାଇଁ ଅଭିନନ୍ଦନ ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବିମାନ ବନ୍ଦରରେ ଅନ୍ୟମାନଙ୍କ ମଧ୍ୟରେ ଆବାସିକ କମିଶନର ଶୁଭ୍ରା ସିଂ, ସହକାରୀ ଆବାସିକ କମିଶନର ରିଙ୍କୁ ମୀନା ଓ ମନୋଜ କୁମାର ସିଂ ମଧ୍ୟ ଉପସ୍ଥିତ ଥିଲେ।

Share