Categories: ଜାତୀୟ

ରାହୁଲଙ୍କ ନିଦ ହଜାଇଲାଣି ପାଇଲଟଙ୍କ ‘ଟାଇମ୍‌ ବମ୍‌’

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ନୂଆ ମୋଡ ନେଉଛି। ପ୍ରାୟ ଗୋଟିଏ ଦିନ ହେବ କଂଗ୍ରେସର ବଡ଼ ବଡ଼ ନେତା ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ବୁଝାଇ ଚାଲିଥିବା ବେଳେ ଫଳ କିନ୍ତୁ କିଛି ବାହାରୁ ନାହିଁ। ବରିଷ୍ଠ ନେତାମାନେ ଚାହୁଁଛନ୍ତି ରାଜସ୍ଥାନର ଅଶୋକ ଗେହଲଟ ସରକାରଙ୍କ ଉପରେ ଯେମିତି କିଛି ବିପଦ ନ ଆସୁ। ହେଲେ ଅନ୍ୟପଟେ ସଚିନ ପାଇଲଟଙ୍କ ସମୟ ଅତିବାହିତ କରିବା ବାଗି ବିଧାୟକଙ୍କ ତାଲିକାକୁ ଲମ୍ବା କରିପାରେ ବୋଲି ଅନୁମାନ କରାଯାଉଛି। ଯଦିଓ ପାଇଲଟଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ ତଥାପି ସେ ଭାରତୀୟ ଜନତା ପାର୍ଟି(ଭାଜପା)ର ସହାୟତାରେ ଗେହଲଟ ସରକାରଙ୍କ ପାଇଁ ସଙ୍କଟ ସୃଷ୍ଟି କରିପାରନ୍ତି। ତେବେ ବରିଷ୍ଠ ବିଧାୟକ ହେମରାଜ ଚୌଧୁରି କହିଛନ୍ତି ପାଇଲଟ ଭାଜପା ସହ ମିଶିବାର କୌଣସି ଗନ୍ଧ ବାରି ହେଉନାହିଁ। ତେଣୁ ରାଜ୍ୟରେ ଗେହଲଟ ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ। ଅନ୍ୟପଟେ ପାଇଲଟଙ୍କୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଚିଦାମ୍ବରମ, ବେଣୁଗୋପାଳ ଆଦି ବୁଝାସୁଝା କରିଥିବା ବେଳେ ଫଳ କିନ୍ତୁ ଶୂନ୍ୟ ହୋଇଥିବା ପ୍ରକାଶ। ପାଇଲଟଙ୍କୁ ଜୟପୁର ଆସିବାକୁ କୁହାଯାଇଥିବା ବେଳେ ସେ କିନ୍ତୁ ତାଙ୍କ କଥାରେ ଅଟଳ ବୋଲି କହିଛନ୍ତି। ତେଣୁ ପାଇଲଟ ଯେ ଭାଜପାରେ ମିଶିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁନାହିଁ। ଅନ୍ୟପଟେ ପାଇଲଟଙ୍କ ‘ଟାଇମ ବମ୍‌’ ଏବେ କଂଗ୍ରେସ ଦଳ ତଥା ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Share