ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ରାଜସ୍ଥାନ ୧୬ ପଏଣ୍ଟ ସହ ପ୍ଲେଅଫ୍ରେ ଅନ୍ତିମ ତଥା ଚତୁର୍ଥ ଦଳ ଭାବେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଆସନ୍ତା ବୁଧବାର ଏଲିମିନେଟର ମ୍ୟାଚ୍ରେ ରାଜସ୍ଥାନ, ସନରାଇଜର୍ସ ହାଇଦ୍ରାବାଦ୍କୁ ଭେଟିବ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପାଓ୍ବାରପ୍ଲେରେ ୫୪ ରନ ମଧ୍ୟରେ ପ୍ରମୁଖ ୩ ଉଇକେଟ ହରାଇଥିଲା। ଯଶସ୍ବୀ ଜୟସ୍ବାଲ ୨୭ (୧ ଚୌକା ଓ ୩ ଛକା) ରନ କରିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ (୪) ଓ ଅଧିନାୟକ ରିୟାନ ପରାଗ (୧୪) ଫେଲ ହୋଇଥିଲେ। ଏହାପରେ ଧ୍ରୁବ ଜୁରେଲ ୨୬ ବଲରେ ୩୮ (୩ ଚୌକା ଓ ୨ ଛକା), ଦାସୁନ ଶନକା ୧୫ ବଲରେ ୨୯ (୩ ଛକା), ଆର୍ଚ୍ଚର ୧୫ ବଲରେ ୩୨ (୧ ଚୌକା ଓ ୩ ଛକା) ଓ ରବୀନ୍ଦ୍ର ଜାଡେଜା ୧୧ ବଲରେ ଅପରାଜିତ ୧୯ (୩ ଚୌକା) ରନ କରିଥିଲେ। ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୦୫ ରନ କରିଥିଲା।
ଜବାବରେ ମୁମ୍ବାଇ ମାତ୍ର ୫.୧ ଓଭରରେ ୩୮ ରନ ମଧ୍ୟରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଏବଂ ଓ୍ବିଲ ଜ୍ୟାକ୍ସ (୩୩ ରନ, ୧୮ ବଲ, ୩ ଚୌକା ଓ ୨ ଛକା) ପଞ୍ଚମ ଉଇକେଟରେ ୬୩ ରନ ଯୋଡ଼ି ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ। ଏହାପରେ ସୂର୍ଯ୍ୟକୁମାର(୬୦ ରନ, ୪୨ ବଲ, ୩ ଚୌକା ଓ ୪ ଛକା), ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୩୪ ରନ, ୧୫ ବଲ, ୩ ଚୌକା ଓ ୨ ଛକା)ଙ୍କ ସହ ମିଶି ୨୫ ବଲରେ ଦ୍ରୁତ ୪୮ ରନ ଯୋଡ଼ିବା ସହ ଦଳ ପାଇଁ ବିଜୟ ସୁଯୋଗ ସୃଷ୍ଟି କରିଥିଲେ। ହେଲେ କ୍ରମାଗତ ବ୍ୟବଧାନରେ ଦୁହେଁ ଆଉଟ୍ ହେବାରୁ ମୁମ୍ବାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୭୫ ରନ କରିବାରେ ସକ୍ଷମ ହୋଇଥିଲା।