Categories: ଜାତୀୟ

ଗେହଲଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚାଲିଛି ମନ୍ଥନ

ଜୟପୁର,୨୫ ।୭: ପଞ୍ଜାବ କଂଗ୍ରେସରେ କଳହ ସମ୍ପୂର୍ଣ୍ଣ ତୁଟି ନ ଥିବା ବେଳେ ଏପଟେ ରାଜସ୍ଥାନରେ ଆରମ୍ଭ ହୋଇ ଗଲାଣି ରାଜନୈତିକ ଉଷ୍ମତା । ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ ପାଖାପାଖି ଅଢେଇ ଘଣ୍ଟାର ଏକ ବୈଠକ ବସିଥିବା ଜଣାପଡିଛି । ଦିଲ୍ଲୀରୁ ଜୟପୁର ପହଞ୍ଚିଥିବା କେସି ବେଣୁଗୋପାଳ ଓ ଅଜୟ ମାକନ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳକୁ ନେଇ କଥା ହୋଇଛନ୍ତି । ରବିବାର ସକାଳ ପ୍ରାୟ ୧୦ଟା ୩୦ରେ ଏମାନେ ଦଳର ନେତା ଓ କର୍ମୀଙ୍କ ସହ କଥା ହେବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, କେସି ବେନୁଗୋପାଳ ଓ ଅଜୟ ମାକନଙ୍କ ସହ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣକୁ ନେଇ ବହୁ ସମୟ ଆଲୋଚନା ହେବା ପରେ ଏବେ ସବୁକିଛି ଗେହଲଟଙ୍କ ଉପରେ ନିର୍ଭର କରୁଛି ବୋଲି କୁହାଯାଉଛି । କେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ଏହାର ତାରିଖ ଗେହଲଟ ସ୍ଥିର କରିବେ । ହେଲେ ଦଳ ହାଇମାଣ୍ଡ ଚାହୁଁଛନ୍ତି ଜୁଲାଇ ମାସରେ ହିଁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଯାଉ । ଏହାସହ ଜିଲା ଅଧ୍ୟକ୍ଷ ନିଯୁକ୍ତି ବି ହୋଇଯାଉ । ସୂଚନାଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶିତଳ ଯୁଦ୍ଧକୁ ଶେଷ କରିବାକୁ ଦଳ ପକ୍ଷରୁ ଏଭଳି କରାଯାଉଛି ।

Share