Categories: ଜାତୀୟ

ଗେହଲଟଙ୍କ ଘରେ ପାଇଲଟ: କରମର୍ଦ୍ଦନ କଲେ

ଜୟପୁର, ୧୪।୮(ପି.ଟି.):ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ଗୁରୁବାର କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ମାସେବ୍ୟାପୀ ବିଦ୍ରୋହ ପରେ ଘରବାହୁଡ଼ା କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ଅସନ୍ତୁଷ୍ଟ ବିଧାୟକମାନେ ଏହି ବୈଠକରେ ଯୋଗ ଦେଇଛନ୍ତି। ପାଇଲଟଙ୍କ ସହ ଗେହଲଟ କରମର୍ଦ୍ଦନ କରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ବୈଠକରେ ଦୁଇନେତା ଏକାଠି ବସିଥିବା ଦେଖାଯାଇଥିଲା। ସକାଳେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ସବୁକିଛି ଭୁଲିଯାଇଛି ଓ କ୍ଷମା କରିଦେଇଛି ବୋଲି କହିଥିଲେ।
ସୂଚନାଯୋଗ୍ୟ ପାଇଲଟ ଏବଂ ୧୮ କଂଗ୍ରେସ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ଗେହଲଟ ସରକାରରେ ସଙ୍କଟ ଦେଖାଦେଇଥିଲା। ମାସେ ପର୍ଯ୍ୟନ୍ତ ଏହି ବିଧାୟକମାନେ ରାଜସ୍ଥାନ ବାହାରେ ଏକ ହୋଟେଲରେ ରହିବା ପରେ ମଙ୍ଗଳବାର ଜୟପୁର ଫେରିଥିଲେ। ସୋମବାର ପାଇଲଟ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିବା ପରେ ସମାଧାନର ସୂତ୍ର ବାହାରିଥିଲା।

Share