Categories: ଖେଳ

ଗୋଆକୁ ହରାଇ ରାଜସ୍ଥାନ ଚାମ୍ପିୟନ

ତାଳଚେର/ଅନୁଗୋଳ ଅଫିସ, ୯।୧୧: ସର୍ବଭାରତୀୟ ଫୁଟ୍‌ବଲ ସଂଘ ସହଯୋଗରେ ତଥା ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟ ପକ୍ଷରୁ ଢେଙ୍କାନାଳ, ଅନୁଗୋଳ ଓ ତାଳଚେର ଅଞ୍ଚଳରେ ଆୟୋଜିତ ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ରାଜସ୍ଥାନ ୟୁନାଇଟେଡ୍‌ ଏଫ୍‌ସି ଚାମ୍ପିୟନ ହୋଇଛି। ମଙ୍ଗଳବାର ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବ୍ଲାକ୍‌ ଡାଇମଣ୍ଡ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରାଜସ୍ଥାନ ୟୁନାଇଟେଡ୍‌ ଏଫ୍‌ସି ୪-୨ ଗୋଲରେ ଚର୍ଚ୍ଚିଲ ବ୍ରଦର୍ସ ଏଫ୍‌ସି ଗୋଆକୁ ପରାସ୍ତ କରିଛି।
ମ୍ୟାଚ ଆରମ୍ଭରୁ ଉଭୟ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ୨-୨ ଗୋଲ ସ୍କୋର କରିବାରୁ ଫଳାଫଳ ନିର୍ଦ୍ଧାରଣ ପାଇଁ ପେନାଲଟି ଶୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ରାଜସ୍ଥାନ ୟୁନାଇଟେଡ୍‌ ଏଫ୍‌ସି ୪ ଗୋଲ୍‌ ସ୍କୋର କରିଥିବାବେଳେ ଚର୍ଚ୍ଚିଲ ବ୍ରଦର୍ସ ଏଫ୍‌ସି ଗୋଆ ମାତ୍ର ୨ଟି ଗୋଲ୍‌ କରି ପରାଜିତ ହୋଇଥିଲା। ଚାମ୍ପିୟନ ରାଜସ୍ଥାନ ଦଳର ଗୋଲ କିପର ମହମ୍ମଦ ରଫିକ୍‌ଙ୍କୁ ହିରୋ ଅଫ୍‌ ଦି ମ୍ୟାଚ ଘୋଷଣା କରାଯିବା ସହ ଟ୍ରଫି ଓ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ଉନ୍ନତ ଖେଳ ଦେଖାଇଥିବା ରାଜସ୍ଥାନର ଅଧିନାୟକ ମାର୍ଟିନ ସବେସ୍‌ଙ୍କୁ ହିରୋ ଅଫ୍‌ ଦି ଟୁର୍ନାମେଣ୍ଟ ଘୋଷଣା କରାଯିବା ସହ ଟ୍ରଫି ଓ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ଚାମ୍ପିୟନ ଦଳ ରାଜସ୍ଥାନକୁ ୧୫ ଲକ୍ଷ ଟଙ୍କା ସହ ଟ୍ରଫି ଓ ରନର୍ସଅପ୍‌ ଗୋଆକୁ ୧୦ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସର୍ବ ଭାରତୀୟ ଫୁଟ୍‌ବଲ ସଂଘ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ, ଏମ୍‌ସିଏଲ୍‌ର ଡାଇରେକ୍ଟର କେଶବ ରାଓ, ବିରୋଧୀ ଦଳ ନେତା ତଥା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ମହାପାତ୍ର ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

Share