Categories: ଜାତୀୟ

୩ ମିନିଟ୍‌ ପର୍ଯ୍ୟନ୍ତ ବିଧାନସଭାରେ ପୂର୍ବ ବର୍ଷର ବଜେଟ୍‌ ଉପସ୍ଥାପନ କରୁଥିଲେ ମୁଖ୍ୟମନ୍ତ୍ରୀ: ଜାଣିବା ପରେ ମାଗିଲେ କ୍ଷମା

ଜୟପୁର,୧୦।୨: ରାଜସ୍ଥାନ ବିଧାନସଭାରେ ଶୁକ୍ରବାର ବଜେଟ ଉପସ୍ଥାପନ ହୋଇଛି। ବଜେଟ୍‌ ଉପସ୍ଥାପନ କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ସେ ବଜେଟ ଭାଷଣ ଆରମ୍ଭ ସମୟରେ ପୂର୍ବ ବର୍ଷର ବଜେଟ ପଢିଥିଲେ। ପୂର୍ବ ବଜେଟରେ ଇନ୍ଦିରା ଗାନ୍ଧୀ ସହରା ଅଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଏହାକୁ ପୁଣିଥରେ ଏହି ବଜେଟ ଭାଷଣରେ ପଢାଯାଇଥିଲା। ସଦସ୍ୟମାନେ ଏହା ଅନୁଭବ କରିବାରୁ, ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ବଜେଟ ଭାଷଣକୁ ବନ୍ଦ କରିଥିଲେ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଭୁଲକୁ ଅବହେଳା ପ୍ରସଙ୍ଗ କରି ବିରୋଧୀଦଳ ଗୃହରେ ହଙ୍ଗାମା ଆରମ୍ଭ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଭୁଲ ବୁଝିପାରି କ୍ଷମା ମାଗିଥିଲେ। ଏହା ପରେ ମଧ୍ୟ ବିରୋଧୀ ଶାନ୍ତ ପଡି ନ ଥିଲେ। ବିରୋଧୀ ଦଳର ଆଭିମୁଖ୍ୟ ଦେଖି ବାଚସ୍ପତି ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ। ଏହା ପରେ ମଧ୍ୟ ବିରୋଧୀଦଳ ଶାନ୍ତ ନ ହେବାରୁ ବାଚସ୍ପତି ଗୃହକୁ ଅଧ ଘଣ୍ଟା ସ୍ଥଗିତ କରିଥିଲେ।
ପ୍ରଥମ ଥର ପାଇଁ ବଜେଟ ସମୟରେ ରାଜସ୍ଥାନରେ ଗୃହର ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡିଛି।

Share