Categories: ଜାତୀୟ

କୋଭିଡ୍‌ ନିୟମ ଭୁଲି ନାଚିଲେ ଭାଜପା ଏମ୍‌ପି

ଜୟପୁର,୨୨।୬: ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି। ହେଲେ ଏବେ ମଧ୍ୟ ବିଭିନ୍ନ ରାଜ୍ୟରେ କଟକଣା ବଳବତ୍ତର ରହିଛି। କିନ୍ତୁ କଟକଣାକୁ ଖାତିର କରୁ ନାହାନ୍ତି ରାଜନେତା। ଏହାର ଜ୍ୱଳନ୍ତ ଉଦ୍‌ହାରଣ ଦେଖିବାକୁ ମିଳିଛି ରାଜସ୍ଥାନର ସଓ୍ବାଇ ମାଧପୁର ଜିଲା ବମନଓ୍ବାସ ସବ୍‌ ଡିଭିଜନର ବଦିଲା ଗ୍ରାମରେ ଆୟୋଜିତ ଏକ ବିବାହ ଉତ୍ସବରେ। ଗତ ୨୦ ତାରିଖରେ ଆୟୋଜିତ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ ରାଜସ୍ଥାନ ଭାଜପା ଏମ୍‌ପି କିରୋଡି ଲାଲ ମିନା। ତାଙ୍କ ସହ ଥିଲେ ପେଶାରେ ଡାକ୍ତର କଂଗ୍ରେସ ବିଧାୟକ ଇନ୍ଦ୍ରା ମିନା। ଦୁହେଁ ଲୋକଗୀତ ଗାଇବା ସହ ଉତ୍ସବରେ ମନ ଦେଇ ନାଚିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେଉଛି ସୋସିଆଲ ମିଡିଆରେ।

ଏହି ଭିଡିଓରେ ରାଜସ୍ଥାନ ଏମ୍‌ପି ଓ ବିଧାୟକ ଲୋକଗୀତରେ କିଛି ଲୋକଙ୍କ ସହ ନାଚୁଥିବା ଦେଖିବାକୁ ମିଳୁଛି। ତେବେ ଏମ୍‌ପି ମାସ୍କ ପିନ୍ଧି ଥିବାବେଳେ ଅନ୍ୟମାନେ ବିନା ମାସ୍କରେ ନାଚୁଛନ୍ତି। ଯେଉଁଠି ମାସ୍କ ନାହିଁ ସେଠି ସାମାଜିକ ଦୂରତା ନିୟମର ପାଳନ ହେବାର ପ୍ରଶ୍ନ ହିଁ ଉଠୁନି। ଏସବୁ ପୁଣି ପୋଲିସ ଉପସ୍ଥିତିରେ ଘଟିଛି।

Share