ବର୍ଷାଜଳ ଅମଳ ପ୍ରକଳ୍ପ ଦିଗହରା

କେନ୍ଦୁଝର,୨୬।୨(ସ୍ବ.ପ୍ର.): କୋଭିଡ୍‌ ମହାମାରୀ ୨୦୨୦ ସମୟରେ ସହରାଞ୍ଚଳ ପ୍ରବାସୀ ଶ୍ରମିକଙ୍କ ଜୀବିକା ସୁଯୋଗ ସୁନିଶ୍ଚିତ ପାଇଁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତପତ୍ର (ମୁକ୍ତା) ଯୋଜନା ଆରମ୍ଭ ହୋଇଥିଲା। ଯୋଜନାରେ କେନ୍ଦୁଝର ପୌରପାଳିକାରେ ବିଭିନ୍ନ ପ୍ରକାରର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ତନ୍ମଧ୍ୟରୁ ବର୍ଷା ଜଳ ସଂରକ୍ଷଣ ପାଇଁ ଜଳ ଅମଳ ପ୍ରକଳ୍ପ କାର୍ଯ୍ୟାରମ୍ଭ କରାଯାଇଥିଲା। ଯୋଜନା ଅନ୍ତର୍ଗତ ପୌରପାଳିକାରେ ହୋଇଥିବା ପ୍ରକଳ୍ପ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିମ୍ନମାନର କାମ ଯୋଗୁ ଅନେକ ଭାଙ୍ଗିିରୁଜି ଗଲାଣି। ଦୁର୍ନୀତି ଯୋଗୁ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିଲାନାହିଁ ବୋଲି ସାମାଜିକ କର୍ମୀ ଦିଲ୍ଲୀପ ସାହୁ ଅଭିଯୋଗ କରିଛନ୍ତି।
ଅନୁଯାୟୀ, କ୍ୟାଚ ଦି ରେନ-୨୦୨୨ ଅଧୀନରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପ୍ରାୟ ୨୦ ହଜାର ଜଳ ଅମଳ ପ୍ରକଳ୍ପ କରାଯାଇଛି। ଗୋଟିଏ ପ୍ରକଳ୍ପରେ ୨୬ ରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ ହୋଇଛି। ଏଥିରେ କେନ୍ଦୁଝରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡରେ ୨୬୦ଟି ପ୍ରକଳ୍ପ ହୋଇଥିଲା। ନିୟମ ଅନୁଯାୟୀ, ପ୍ରକଳ୍ପରେ ୬ଟି ରିଙ୍ଗ(ନନ୍ଦ) ଲଗାଯାଇ ୧୫ଫୁଟ ଲମ୍ବ ପ୍ରକଳ୍ପ ହେବ। ଗାତ ଖୋଳି ରିଙ୍ଗ ପକାଯିବା ପରେ ପ୍ରଥମେ ୨୦ ଏମ୍‌ଏମ୍‌ ମେଟାଲ, ଦେଢଫୁଟ ୨୦ ଏମ୍‌ଏମ୍‌ ଚିପ୍ସ, ଦେଢ ଫୁଟ ୧୦ ଏମ୍‌ଏମ୍‌ ଚିପ୍ସ ପରେ ବାକି ବାଲି ଦିଆଯିବ। ମାଟି ଉପରକୁ ଅଧା ଫୁଟ୍‌ ରିଙ୍ଗ ରହିବ। ଉଚ୍ଚ ଥିବା ସ୍ଥାନରେ ନ କରି ଖାଲଥିବା ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ ହେବା ନିୟମ ରହିଛି। ମାତ୍ର ଏହିସବୁ ନିୟମ ପାଳନ ହୋଇ ନ ଥିବା ଅଭିଯୋଗ ହେଉଛି। ଏପରିକି ଉଚ୍ଚ ସ୍ଥାନରେ ଓ ନିମ୍ନମାନର ପ୍ରକଳ୍ପ ନିର୍ମାଣ ହୋଇଥିବାରୁ ପାଣି ରହୁନାହିଁ। ୪ ନଂ. ୱାର୍ଡର ହୁଡକୋ କଲୋନୀରେ ଉଚ୍ଚ ସ୍ଥାନରେ ଏକାଧିକ ପ୍ରକଳ୍ପ କରାଯାଇ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଛି। ଯୋଜନା ପାଇଁ ରାଜ୍ୟ ସରକାର ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ପୁରସ୍କୃତ ହୋଇଥିଲେ। ମାତ୍ର କେନ୍ଦୁଝରଗଡ଼ ପୌରପାଳିକା ସମେତ ଜିଲାର ଅନ୍ୟାନ୍ୟ ପୌରାଞ୍ଚଳରେ ହୋଇଥିବା କାମର ଅନୁଧ୍ୟାନ କଲେ ଏହାର ବାସ୍ତବ ଚିତ୍ର ଜଣାପଡ଼ିବ ବୋଲି ସାମାଜିକ କର୍ମୀ ସାହୁ କହିଛନ୍ତି। ଏନେଇ ଦାୟିତ୍ୱରେ ଥିବା ଅଧିକାରୀ ଦେବାଶିଷ ପଲେଇ କହିଛନ୍ତି, ବର୍ଷା ଦିନ ପୂର୍ବରୁ ସବୁ ପ୍ରକଳ୍ପଗୁଡ଼ିକର ମରାମତି ହେବ ଏବଂ କାର୍ଯ୍ୟକ୍ଷମ କରାଯିବ।