ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ

କଟକ,୫ା୧୦ (କାର୍ତ୍ତିକ ସାହୁ) ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ତାଙ୍କ ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଦାଏର ଘରୋଇ ହିଂସା ମାମଲାର ବୁଧବାର ଶୁଣାଣି ହୋଇଛି। ଅଦାଲତରେ ବର୍ଷାଙ୍କ ପକ୍ଷରୁ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି। ମାମଲାର ଶୁଣାଣିବେଳେ ବର୍ଷା ଏକାଧିକ ନଥିପତ୍ର ଚିହ୍ନଟ କରିଛନ୍ତି। ଗତ ସେପ୍ଟେମ୍ବର ୨୫ରେ ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷା ଓ ଅନୁଭବଙ୍କୁ କାଉନ୍‌ସେଲିଂ କରାଯାଇଥିଲା। ହେଲେ କାଉନ୍‌ସେଲିଂ ବିଫଳ ହୋଇଥିଲା। ଏହି ମାମଲାରେ ବର୍ଷାଙ୍କ ପକ୍ଷରୁ ପୂର୍ବରୁ କୋର୍ଟରେ ମେଡିଏସନ୍‌ ଆଫିଡାଭିଟ୍‌ ଦାଖଲ କରାଯାଇଛି।
ସୂଚନାଯୋଗ୍ୟ, ବର୍ଷାଙ୍କ ପକ୍ଷରୁ ଅନୁଭବ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ୨୦୨୦ରେ ଘରୋଇ ହିଂସା ମାମଲା କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଦାଏର ହୋଇଥିଲା। ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଥିଲେ। ଅନୁଭବ ନିଶାସକ୍ତ ଅବସ୍ଥାରେ ତାଙ୍କୁ ମାରପିଟ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ଏପରିସ୍ଥଳେ ସେ କ୍ଷତିପୂରଣ ବାବଦକୁ ଅନୁଭବଙ୍କ ନିକଟରୁ ୧୫ କୋଟି ଟଙ୍କା, ଘରଭଡ଼ା ବାବଦକୁ ମାସିକ ୩୦ ହଜାର ଓ ତାଙ୍କର ଚଳିବାକୁ ମାସିକ ୫୦ ହଜାର ଟଙ୍କା ଦାବି କରିଥିଲେ। ଏଥିସହ ମହିଳା ହିଂସା ସୁରକ୍ଷା ଆଇନ ୨୦୦୫ ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବର୍ଷା ପ୍ରାର୍ଥନା କରିଥିଲେ। ଅନ୍ୟପକ୍ଷରେ ସେ କଟକର ପରିବାର ଅଦାଲତରେ ଅନୁଭବଙ୍କ ନିକଟରେ ରହିବାକୁ ଚାହଁୁଥିବା ଦର୍ଶାଇ ସ୍ବାମୀ-ସ୍ତ୍ରୀ ଭାବେ ସେମାନଙ୍କ ସମ୍ପର୍କ ପୁନଃ ପ୍ରତିଷ୍ଠା ନିମନ୍ତେ ଆବେଦନ କରିଥିଲେ। କଟକ ପରିବାର ଅଦାଲତରେ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ମାମଲାର ଶୁଣାଣି ଚାଲିଥିଲା। ତେବେ ନିକଟରେ ପରିବାର ଅଦାଲତ ବର୍ଷାଙ୍କ ଆବେଦନକୁ ଖାରଜ କରିଥିଲେ। ସେହିପରି ଅନୁଭବଙ୍କ ପକ୍ଷରୁ ବର୍ଷାଙ୍କୁ ଛାଡ଼ପତ୍ର ଦେବା ନିମନ୍ତେ କରାଯାଇଥିବା ଆବେଦନକୁ ମଧ୍ୟ ପରିବାର ଅଦାଲତ ଖାରଜ କରିଥିଲେ।