‘ଅର୍ଣ୍ଣବ’ ତୁଳନାରେ ‘ଅକ୍ୱାନ’ରେ ବର୍ଷା ପରିମାଣ ବହୁତ କମ: ସର୍ବାଧିକ ୬୭ ମିମି ବର୍ଷା ରେକର୍ଡ

ଦାରିଙ୍ଗବାଡ଼ି, ୨୦।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’କୁ ମୁକାବିଲା କରିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ତେବେ ଗୁରୁବାରଠାରୁ ଶୁକ୍ରବାର ସକାଳ ସୁଦ୍ଧା ବ୍ଲକ ଅଞ୍ଚଳରେ ମାତ୍ର ୬୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବିଡିଓ ପ୍ରୀତିରଞ୍ଜନ ରଥ ସୂଚନା ଦେଇଛନ୍ତି।

ବିଡିଓଙ୍କ କହିବା ଅନୁଯାୟୀ, ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗୋଟିଏ ଦିନରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସର୍ବାଧିକ ୩୩୦ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ତେବେ ବର୍ତ୍ତମାନର ବାତ୍ୟା ‘ଅକ୍ୱାନ’ରେ ବର୍ଷାର ପ୍ରଭାବ ତୁଳନାତ୍ମକ ଭାବେ କମ ରହିଛି। ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବ କି ନାହିଁ, ତାହା ସ୍ପଷ୍ଟ ହେବ।

ଅନ୍ୟପକ୍ଷରେ, ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ୪୪ଟି ଆଶ୍ରୟସ୍ଥଳରେ ୪ ହଜାର ୧୨୪ ଜଣଙ୍କୁ ରଖାଯାଇଥିବା ବେଳେ ଶୁକ୍ରବାର ସକାଳ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୫ ହଜାର ୮୦୦ରେ ପହଞ୍ଚିଛି। ଆଶ୍ରୟସ୍ଥଳରେ ରହୁଥିବା ସମସ୍ତଙ୍କୁ ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ବିଡିଓ ସୂଚନା ଦେଇଛନ୍ତି। ତେବେ ଶୁକ୍ରବାର ସକାଳଠାରୁ ବର୍ଷାର ପରିମାଣ କମିଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 

Share