Categories: ଜାତୀୟ

ବର୍ଷା, ଶୀତ ବଢ଼ାଉଛି ଲା ନିନା

ନୂଆଦିଲ୍ଲୀ, ୨୯।୧୨ : କ୍ରମାଗତ ଦୁଇବର୍ଷ ହେଲା ଭାରତର ପାଣିପାଗକୁ ପ୍ରଭାବିତ କରିବାରେ ଲା ନିନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି। ଫଳରେ ଏଠାରେ ସ୍ବାଭାବିକଠାରୁ ଅଧିକ ବର୍ଷା ଓ ଶୀତ ଅନୁଭୂତ ହେଉଛି। ସେହିପରି ଗ୍ରୀଷ୍ମପ୍ରବାହ ମଧ୍ୟ ପୂର୍ବାପେକ୍ଷା କମିଛି। ଚଳିତବର୍ଷ ବଙ୍ଗୋପସାଗର ଓ ଆରବ ସାଗରରେ ୫ଟି ସାମୁଦ୍ରିକ ବାତ୍ୟା ସୃଷ୍ଟି ହୋଇଥିଲା, ଯେଉଁଥିରୁ ୪ଟି ପ୍ରବଳ ସାମୁଦ୍ରିକ ଝଡ଼ବାତ୍ୟା ଥିଲା। ଉତ୍ତର ଭାରତରେ ଭଲ ମୌସୁମୀ ଓ ଅଧିକ ଶୀତ ହେବାର ଲା ନିନା ସ୍ଥିତି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।
ପ୍ରଶାନ୍ତ ମହାସାଗର ଜଳରାଶିର ଶୀତଳତା ସହ ଲା ନିନା ସମ୍ପୃକ୍ତ। ଏହାର ପ୍ରଭାବରେ ଭଲ ବର୍ଷା ହେବା ସାଙ୍ଗକୁ ଶୀତଦିନେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଥାଏ। ଭାରତରେ ଡିସେମ୍ବରରୁ ଫେବୃୟାରୀ ଶୀତ ହୋଇଥାଏ। ୨୦୧୯ ଡିସେମ୍ବରରୁ ଚଳିତବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଉତ୍ତର ଭାରତରେ ପ୍ରବଳ ଶୀତ ହୋଇଥିଲା ବୋଲି ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେହିପରି ଚଳିତବର୍ଷ ମଧ୍ୟ କମ୍‌ ଗ୍ରୀଷ୍ମଲହରି ଅନୁଭୂତ ହୋଇଥିଲା। ସାଧାରଣତଃ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ଲହରି ପ୍ରବାହିତ ହୋଇଥାଏ। ଭୂମଧ୍ୟସାଗରରେ ଘୂର୍ଣ୍ଣିବଳୟ, କେନ୍ଦ୍ରୀୟ ଏସିଆରେ ଏହାର ପ୍ରବାହ ଏବଂ ଉତ୍ତର-ପଶ୍ଚିମ ଭାରତରେ ଶୀତଦିନେ ବର୍ଷା କରାଇବା ଫଳରେ ଗ୍ରୀଷ୍ମ ପ୍ରବାହ କମ୍‌ ହୋଇଥିଲା ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ କହିଛନ୍ତି। ଗତ ୩୦ ବର୍ଷ ମଧ୍ୟରେ ୨୦୨୦ରେ ତୃତୀୟ ଥର ପାଇଁ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଜୁନ୍‌ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହେଉଥିଲାବେଳେ ଚଳିତ ବର୍ଷ ଏହି ସମୟରେ ୧୦୯ ପ୍ରତିଶତ ବର୍ଷା ହୋଇଥିଲା। ସାଧାରଣତଃ ଜୁଲାଇ ଓ ଅଗଷ୍ଟରେ ଅଧିକ ବର୍ଷା ହୋଇଥାଏ। ଅଗଷ୍ଟରେ ୫ଟି ଲଘୁଚାପ ଯୋଗୁ କେନ୍ଦ୍ରୀୟ ଭାରତରେ ଅଧିକ ବର୍ଷା ହୋଇଥିଲା। ଅଗଷ୍ଟରେ ଲଘୁଚାପ ସାଧାରଣତଃ ୧୫ ଦିନ ରହୁଥିବାବେଳେ ଏଥର ତାହା ୨୮ ଦିନ ରହିଥିଲା। ପ୍ରବଳ ବର୍ଷା ଯୋଗୁ ଓଡ଼ିଶା, ତେଲଙ୍ଗାନା, ମଧ୍ୟପ୍ରଦେଶ, ଦକ୍ଷିଣ ଗୁଜରାଟ ଓ ଦକ୍ଷିଣ ରାଜସ୍ଥାନରେ ବନ୍ୟା ହୋଇଥିଲା।

Share