ରେଳମନ୍ତ୍ରୀଙ୍କୁ ଭେଟିବା ପରେ ରହିବ ଟ୍ରେନ୍‌

ସମ୍ବଲପୁର,୩୧ା୩ (ବ୍ୟୁରୋ): ସମ୍ବଲପୁର ଜିଲା ବାମରା ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଓ ଓଭରବ୍ରିଜ୍‌ ନିର୍ମାଣ ଦାବି ନେଇ ଜନଆନ୍ଦୋଳନ ଜାରି ରହିଛି। ଅଞ୍ଚଳବାସୀଙ୍କ ଦାବିକୁ ସମର୍ଥନ କରିଛନ୍ତି ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ଗୁରୁବାର ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି।

ବୁଧବାର ବାମରା ଷ୍ଟେଶନରେ ହୋଇଥିବା ରେଳରୋକୋ ଉପରେ ମଧ୍ୟ ଏମ୍‌ପି ଜଣାଇଥିଲେ। ସମସ୍ତ ବିଷୟ ଶୁଣିବା ପରେ ମନ୍ତ୍ରୀ ବୈଷ୍ଣବ ଅଞ୍ଚଳବାସୀଙ୍କ ଦାବି ଉପରେ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାସହ ମନ୍ତ୍ରୀ ଟ୍ରେନ୍‌ ରହଣି ଓ ଅନ୍ୟ ସମସ୍ୟା ସମାଧାନ କରିବାକୁ ଦକ୍ଷିଣପୂର୍ବ ରେଳପଥ ଚକ୍ରଧରପୁର ଡିଭିଜନକୁ ନିର୍ଦ୍ଦେଶ ଦେଇଛନ୍ତି। ଦାବି ହେଉଥିବା ଟ୍ରେନ୍‌ଗୁଡିକ ବାମରା ଷ୍ଟେଶନରେ ପରୀକ୍ଷାମୂଳକ ଭାବେ ରହଣି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୧ ତାରିଖରୁ ୬ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ଗୁଡିକ ରହଣି କରିବ। ଏହାସହ ଅତିରିକ୍ତ ଟିକେଟ କାଉଣ୍ଟର ଖୋଲିବା, ଏଲ୍‌ଏଚ୍‌ଏସ୍‌ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ କୋଭିଡ୍‌ ସମୟରେ ବାମରା ଦେଇ ଯାତାୟାତ କରୁଥିବା ଟ୍ରେନ୍‌ଗୁଡିକ ବନ୍ଦ କରି ଦିଆଯାଇଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ମଧ୍ୟ ବାମରା ଷ୍ଟେଶନ ଦେଇ ପୂର୍ବରୁ ଯାତାୟାତ କରୁଥିବା ଟ୍ରେନ୍‌ ଚଳାଚଳ କରୁନାହିଁ। ଏହାକୁ ନେଇ ପ୍ରାୟ ୨ବର୍ଷ ହେବ ରେଳ କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ମହିଳା, ପୁରୁଷ, ଯୁବତୀଯୁବକ, ଛାତ୍ରୀଛାତ୍ର ଆନ୍ଦୋଳନ କରିଆସୁଛନ୍ତି। ପ୍ରଥମେ ୨୦୨୦ ଡିସେମ୍ବର ୧୫ରେ ୪ ଘଣ୍ଟା ଓ ୨୦୨୨ ମାର୍ଚ୍ଚ ୩୦ରେ ୧୦ ଘଣ୍ଟା ଧରି ରେଳରୋକୋ ଆନ୍ଦୋଳନ ହୋଇଥିଲା।