ବସ୍ତିକୁ ମାଡ଼ିଲା ବର୍ଷାପାଣି

ଲୋଇସିଂହା,୩।୮(ସୁଶାନ୍ତ ବାରିକ): ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତ ବିରକେଲ ଗ୍ରାମରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର ମହାଲିଙ୍ଗ ଜଳାଶୟକୁ ଉଦବୃତ୍ତ ବର୍ଷା ଜଳକୁ କେତେକ ଗ୍ରାମବାସୀ ପ୍ରବେଶ କରି ନ ଦେଇ ଅବରୋଧ କରି ରଖିଛନ୍ତି। ଫଳରେ ଉଦବୃତ୍ତ ବର୍ଷା ଜଳ ଜଳାଶୟକୁ ନ ଯାଇ ଗ୍ରାମ୍ୟ ବସ୍ତି ରାସ୍ତାରେ ଛୁଟୁଛି। ଗ୍ରାମର କେତେକ ଜଣଙ୍କ ଘରେ ପଶିଛି। ଏନେଇ ଗ୍ରାମର ରଘୁନାଥ ପଟେଲ ଲୋଇସିଂହା ତହସିଲ ଅଫିସ ଯାଇ ବୁଧବାର ଫେରାଦ ହୋଇଥିଲେ। ଏହାପରେ ରାଜସ୍ବ କର୍ମଚାରୀ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଜୁନ ମାସରେ ଗ୍ରାମର ମହାଲିଙ୍ଗ ଜଳାଶୟ ପୁନରୁଦ୍ଧାର କାମ ହାତକୁ ନିଆଯାଇଥିଲା। ଜଳାଶୟ ମଝିରୁ ମାଟି ଉଦ୍ଧାର ନକରି ହିଡ ତଟରୁ ମାଟି ଉଠାଇ ହିଡରେ ପକାଯାଉଥିଲା। ଏପରିକି ଜୁନ ୧୫ ପରେ କାମକୁ ନେଇ ଗ୍ରାମବାସୀ ବାରଣ କରିଥିଲେ। ଏହାକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ବିବାଦ ଯୋଗୁ କାମ ବନ୍ଦ ରହିଥିଲା। ଏବେ ଗ୍ରାମର ଏକଗୋଷ୍ଠୀ ବର୍ଷା ପାଣି ଜଳାଶୟକୁ ପ୍ରବେଶ କରୁଥିବା ପଥକୁ ଅବରୋଧ କରିଛନ୍ତି। ଫଳରେ ଜଳାଶୟର ଉପରମୁଣ୍ଡର ପାଣି ବସ୍ତିକୁ ପ୍ରବେଶ କରୁଛି।