ବର୍ଷା ଧୋଇନେଲା ପୋଲ, ଯାତାୟାତ ଠପ୍‌

ଅମରପାଲି,୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ଯୋର ନାଳରେ ବନ୍ୟାପାଣି ପ୍ରବାହିତ ହେଉଛି l ବୁଧବାର ସକାଳୁ ଠେଙ୍ଗା ଡ୍ୟାମରୁ ୬ ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ ହେବା ଫଳରେ ହରିହର ଯୋରର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା l ମୁର୍ଷୁଣ୍ଢି ନିକଟରେ ଥିବା ହରିହର ଯୋର ପୋଲ ଉପରେ ପ୍ରାୟ ପାଞ୍ଚ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପୋଲର ଉଭୟ ପାର୍ଶ ର ଅପ୍ରୋଚ ରୋଡ୍‌ ଧୋଇଯାଇଛି l ଏହା ସହିତ ପୋଲର ଉଭୟ ପାର୍ଶ୍ୱରେ ବାଡ଼ା ମଧ୍ୟ ଭାଙ୍ଗି ଯାଇଛି। ଆପ୍ରୋଚ୍‌ ରୋଡ୍‌ ମରାମତି କରାଗଲେ ମଧ୍ୟ ଉକ୍ତ ପୋଲରେ ଯାତାୟାତ ବିପଦପୂର୍ଣ୍ଣ ହେବ। ଏବେ ପୋଲ ଦେଇ ଯାତାୟାତ ସମ୍ଭବ ହୋଇପାରୁ ନାହିଁ।ଫଳରେ ବୀରମହାରାଜପୁରରୁ ଅମରପାଲି ଦେଇ ଯୁଯୁମୁରା-ସମ୍ବଲପୁର ଯାତାୟାତରେ ବ୍ୟାହତ ସୃଷ୍ଟି ହୋଇଛି। ଉକ୍ତ ବାଟ ଦେଇ ଗାଡ଼ି ମଟର ଚଳାଚଳ ହୋଇପାରୁ ନାହିଁ। ସୋନପୁରରୁ ବୀରମହାରାଜପୁର-ଅମରପାଲି ଦେଇ ରେଢ଼ାଖୋଲକୁ ଏବଂ ମୁର୍ଷୁଣ୍ଢି ରୁ ସମ୍ବଲପୁରକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି l ତେବେ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ରାସ୍ତା ମରାମତି କରି ଯାତାୟାତର ସୁବିଧା କରିବାକୁ ସାଧାରଣରେ ଦାବି ହେଉଛି l