ଆସୁଛି ବର୍ଷା: ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ୩ଦିନ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ତାରିଖରେ ସମ୍ବଲପୁର, ନୂଆପଡ଼ା, ବରଗଡ଼, ଝରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ରେ ସ୍ବଳ୍ପ ପରିମାଣର ବର୍ଷା ହେବ। ୧୭ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ ଜିଲାରେ ବର୍ଷା ହେବ। ସେହିଦିନ ବିଭିନ୍ନ ଜିଲାକୁ ଝଡ଼ତୋଫାନ ସହିତ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗୀର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ ଓ ଢେଙ୍କାନାଳ ଆଦି ୧୫ଜିଲାକୁ ଝଡ଼ତୋଫାନ ସହିତ ବଜ୍ରପାତ ହେବାର ଆଶଙ୍କା ଥିବାରୁ ଏ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୮ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ଗଞ୍ଜାମ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଧୀରେ ଧୀରେ ପାରଦ ଉପରମୁହାଁ ହେଉଛି। ରବିବାର ଫୁଲବାଣୀ ଓ ବୌଦ୍ଧ ଜିଲାରେ ସର୍ବନିମ୍ନ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।