ଆଜିଠୁ ବର୍ଷା: ବଜ୍ରପାତ ନେଇ ଆଜି ୧୪ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ ଆସନ୍ତା ୮, ୧୦ ଓ ୧୧ ତାରିଖରେ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ। ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଦେବଗଡ଼ ଆଦି ୧୪ ଜିଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ। ସେଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସହିତ ବଜ୍ରପାତ ହୋଇଛି। ବିଶେଷ କରି ବାଲେଶ୍ୱର, ମୟୂରଭଞ୍ଜ, ବାରିପଦା, ଭଦ୍ରକ ପଟେ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ସର୍ବାଧିକ ୫ଜଣ ଥିବାବେଳେ ଭଦ୍ରକରୁ ୨ ଓ ମୟୂରଭଞ୍ଜରୁ ଜଣେ ରହିଛନ୍ତି। ସେହିପରି ଶନିବାର ବାଲେଶ୍ୱରରେ ସର୍ବାଧିକ ୫୫ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ନୟାଗଡ଼ରେ ୫୦, ପାରାଦୀପରେ ୪୭, ଟିଟିଲାଗଡ଼ରେ ୧୯.୨, ବଲାଙ୍ଗୀର ୧୪ ମିମି ବର୍ଷା ହୋଇଥିବା ସୂଚନା ଦିଆଯାଇଛି।