ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ର ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସକ୍ରିୟ ଥିଲା। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନଠାରୁ ପ୍ରାୟ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିଲା। ଫଳରେ ରାଜ୍ୟକୁ ଏବେ ଲଘୁଚାପ ପ୍ରଭାବ ନ ଥିବାରୁ ବର୍ଷା କମିଛି। କେଉଁଠି ଝିପି ଝିପି ତ ଆଉ ଷକଉଁଠି ଅସରାଏ ଦି’ ଅସରା ବର୍ଷ ହେଉଛି। ଏବେ ସେପରି ବଡ଼ ଧରଣର ବର୍ଷା ସମ୍ଭାବନା ନ ଥିବାବେଳେ ଆସନ୍ତା ୭ ଦିନଯାଏ ଏ ପରିସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆାଇଛି। ତେବେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୯ ତାରିଖ ବେଳକୁ ବର୍ଷାର ପ୍ରଭାବ ବଢ଼ିବା ସମ୍ଭାବନା ଥିବାରୁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି।

