ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ ପ୍ରକାର ଯୋଜନା ସରିଛି। ଏହି ଅବସରରେ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି, ବ୍ରାହ୍ମଣୀଗାଁ, ଗଦାପୁର, କାଟିଙ୍ଗିଆ, ଝିଞ୍ଜିରୀଗୁଡା, କୁମ୍ଭାରୀଗାଁ, ଦାସିଙ୍ଗବାଡି, ଦନେକବାଡି, ପର୍ତ୍ତମାହା, ସିର୍କାବର୍ଗ, ଗ୍ରୀନବାଡି, ଭ୍ରମରବାଡି, ସିଆଙ୍ଗବାଲି, କିରିକୁଟି, ବାଡାବାଙ୍ଗା ଆଦି ଅଞ୍ଚଳରେ ଭୋର ସମୟରୁ ବର୍ଷା ଆରମ୍ଭ ହୋଇ ସକାଳ ୯ଟା ପରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇଛି ଏଥି ସହ କୁହୁଡି ଆଚ୍ଛାଦିତ ହୋଇ ରହିଥିବାବେଳେ କୋହଲା ପାଗ ରହିଛି। ଫଳରେ ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି।
ପାଣିପାଗର ସୂଚନା ପ୍ରକାରେ ସନ୍ଧ୍ୟାରୁ ବର୍ଷା ପ୍ରବଳରୁ ଅତି ପ୍ରବଳ ହେବା ସମ୍ଭାବନା ରହିଥିବାରୁ ଏଥିପାଇଁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିବାବେଳେ ବିଡ଼ିଓ ପ୍ରୀତିରଞ୍ଜନ ରଥ ବ୍ଲକ ଅଞ୍ଚଳର ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରିବା ଜଣାପଡିଛି। ସେହିପରି ବିଦ୍ୟୁତ ବିଭାଗ ମଧ୍ୟ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ତଥା ମୋବାଇଲ ଚାର୍ଜ ରଖିବା ଟାଙ୍କିକୁ ପାଣି ଉଠାଇବା ଓ କୌଣସି ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲେ ତାକୁ ନ ଛୁଇଁବା ଆଦି ସତର୍କ କରାଇଛି।

 

Dharitri – Odisha’s No.1 Odia Daily

 

Share