ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ ଅକ୍ଟୋବର ୧ ରୁ ଅକ୍ଟୋବର ୩୧, ୨୦୨୬ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଏବଂ କଠୋର ଟିକେଟ୍ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଉଛି। ଏହି ସମୟ ମଧ୍ୟରେ ଟ୍ରେନ୍ ଏବଂ ଷ୍ଟେସନଗୁଡ଼ିକରେ ଟିକେଟ୍ ଯାଞ୍ଚ ପୂର୍ବ ଅପେକ୍ଷା ଅଧିକ କଡ଼ା କରାଯିବ। ବିଶେଷକରି ରିହାତି ଭଡ଼ା, ସଂରକ୍ଷଣ କୋଟା, ଇ-ପାସ୍ କିମ୍ବା PTO (ପର୍ସେନାଲ୍ ଟ୍ରାଭେଲ୍ ଅର୍ଡର)ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ।

ମୂଳ ପରିଚୟ ପତ୍ର ବାଧ୍ୟତାମୂଳକ: ଏହି ଅଭିଯାନ ସମୟରେ ଯାତ୍ରୀମାନଙ୍କୁ ଟିକେଟ୍ ସହିତ ସେମାନଙ୍କର ମୂଳ ପରିଚୟ ପତ୍ର (Original ID Proof) ବହନ କରିବାକୁ ପଡ଼ିବ। ପରିଚୟ ପତ୍ର ଦେଖାଇବାରେ ବିଫଳ ହେଲେ ଟିକେଟ୍ ବୈଧତା ଉପରେ ପ୍ରଶ୍ନ ଉଠିପାରେ। ଯଦି ଗୋଟିଏ ଟିକେଟରେ ଏକାଧିକ ବ୍ୟକ୍ତି ଯାତ୍ରା କରୁଛନ୍ତି, ତେବେ ଯାଞ୍ଚ ସମୟରେ ଅତି କମରେ ଜଣେ ଯାତ୍ରୀଙ୍କ ପାଖରେ ବୈଧ ପରିଚୟ ପତ୍ର ରହିବା ଜରୁରୀ। ଅନ୍ୟଥା ସମସ୍ତଙ୍କୁ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଭାବେ ବିବେଚନା କରାଯାଇ ଜରିମାନା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ଯାତ୍ରା ସମୟରେ ଯାଞ୍ଚ କରାଯିବ ଯେ, ଯାତ୍ରୀ ପ୍ରକୃତରେ ସେହି ରିହାତି ବା କୋଟାର ଲାଭ ପାଇବାକୁ ଯୋଗ୍ୟ କି ନାହିଁ। କେବଳ ଟିକେଟ୍ ଦେଖାଇବା ଯଥେଷ୍ଟ ହେବ ନାହିଁ। ରେଳ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ ଯେଉଁମାନେ ଇ-ପାସ୍ ବା ରିହାତି ଭଡ଼ାରେ ଯାତ୍ରା କରନ୍ତି, ସେମାନେ ଯାତ୍ରା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ସେମାନଙ୍କର ଇ-ପାସ୍ ବା PTO ସଠିକ୍ ଭାବରେ Authority for Travelରେ ପରିଣତ ହୋଇଛି କି ନାହିଁ ଏବଂ ମୂଳ ପରିଚୟ ପତ୍ର ପାଖରେ ଅଛି କି ନାହିଁ। ଏହି ଅଭିଯାନ କେବଳ ସଂରକ୍ଷିତ ଟିକେଟ୍ ପାଇଁ ନୁହେଁ, ବରଂ ଅଣସଂରକ୍ଷିତ (General) ଟିକେଟ୍ ମଧ୍ୟ ଯାଞ୍ଚ କରାଯିବ। ସନ୍ଦେହଜନକ ଟିକେଟ୍ଡ଼ିକୁ TTE ଆପ୍ ମାଧ୍ୟମରେ ଘଟଣାସ୍ଥଳରେ ହିଁ ଯାଞ୍ଚ କରାଯିବ।

 

 

Share