Categories: ବାଣିଜ୍ୟ

୩୫ ହଜାର କୋଟି କ୍ଷତି ସହିପାରେ ରେଲଓ୍ବେ

ନୂଆଦିଲ୍ଲୀ,୨୯।୭: ଚଳିତ ବର୍ଷ ରେଲଓ୍ବେ ୩୫ ହଜାର କୋଟି ଟଙ୍କାର କ୍ଷତି ସହିପାରେ। କରୋନା କାରଣରୁ ବର୍ତ୍ତମାନ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଏଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ କେବଳ ୨୩୦ ସ୍ପେଶାଲ ଟ୍ରେନ ଚାଲୁଛି। ଏହି ଟ୍ରେନ୍‌ଗୁଡିକରେ ୭୫% ପର୍ଯ୍ୟନ୍ତ ଯାତ୍ରୀ ଯିବା ଆସିବା କରୁଛନ୍ତି। ମାଲବାହୀ ଟ୍ରେନ୍‌ ଚଳାଚଳରୁ ଯାହା ରାଜସ୍ବ ଆସୁଛି ସେଥିରୁ ରେଲଓ୍ବେକୁ ବିଭିନ୍ନ ଖର୍ଚ୍ଚ ପରିଚାଳନା କରିବାକୁ ପଡୁଛି ବୋଲି ରେଳ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି। ଗତବର୍ଷ ରେଲଓ୍ବେ ଯାତ୍ରୀବାହୀ ଟ୍ରେନଗୁଡିକରୁ ପ୍ରାୟ ୫୦ ହଜାର କୋଟି ଟଙ୍କା ରାଜସ୍ବ ପାଇଥିଲା। ଚଳିତ ବର୍ଷ ରାଜସ୍ବକୁ ନେଇ କିଛି କହି ହେବ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି। ଜାତୀୟ ଏବଂ ରାଜ୍ୟ ସ୍ତରରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ରେଳ ଚଳାଚଳକୁ ବର୍ତ୍ତମାନ ବନ୍ଦ ରଖାଯାଇଛି। ଆଗାମୀ ଦିନରେ ସ୍ଥିତି କେବେ ଠିକ୍‌ ହେବ ସେ ନେଇ ମଧ୍ୟ ଅନୁମାନ ବର୍ତ୍ତମାନ କରାଯାଇ ପାରୁନାହିଁ। ବର୍ତ୍ତମାନ ମାଲ୍‌ଗାଡି ସେଗ୍‌ମେଣ୍ଟରେ ଫାଇଦା ହେଉଥିବା ଦେଖାଯାଉଛି। ଏହି ସେଗ୍‌ମେଣ୍ଟରେ ଗତବର୍ଷ ତୁଳନାରେ ରାଜସ୍ବ ଉନ୍ନତ ହେବା ନେଇ ସେ ଆଶାବାଦୀ ରହିଛନ୍ତି। କ୍ଷତିକୁ କମ୍‌ କରିବା ପାଇଁ ହେଲେ ଯାତ୍ରୀବାହୀ ସେଗ୍‌ମେଣ୍ଟର କ୍ଷତିକୁ କମ୍‌ କରିବାକୁ ପଡିବ। ଗତ ବର୍ଷ ପାସେଞ୍ଜର ଟ୍ରେନ ରାଜସ୍ବକୁ ବିଚାରକଲେ ଚଳିତ ବର୍ଷ ରାଜସ୍ବ ପ୍ରାୟ ୧୦ରୁ ୧୫% ରହିବ। ମାଲ୍‌ବାହୀ ସେଗ୍‌ମେଣ୍ଟରୁ ୧.୪୭ ଲକ୍ଷ କୋଟି ଏବଂ ପାସେଞ୍ଜର ସେଗ୍‌ମେଣ୍ଟରୁ ୬୧ ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରିବା ଲାଗି ରେଲଓ୍ବେ ଲକ୍ଷ୍ୟ ରଖିଥିଲା। ମାତ୍ର କରୋନା ଲାଗି ରାଜସ୍ବ ସଂଗ୍ରହ ଲକ୍ଷ୍ୟକୁ ରେଲଓ୍ବେ ପରିବର୍ତ୍ତନ କରିଥିବା ଜଣାପଡିଛି।

Share