ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ ଭାବେ ଯୋଗଦାନ କରିଥିବା ଯୋଗୁ ସଂଘର ପ୍ରତିନିଧିମାନେ ଏସ୍‌ପି ଶତପଥୀଙ୍କୁ ସ୍ବାଗତ କରିଥିଲେ । ଏହା ସହିତ ବରଗଡ଼ ରୋଡ଼ ରେଳ ଷ୍ଟେଶନରେ ଜିଆରପି ଥାନା ଖୋଲିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ରରେ ଉଲ୍ଲେଖ ରହିଛି, ଏହି ଷ୍ଟେଶନ ଏକ ଜିଲା ମୁଖ୍ୟାଳୟ ସହିତ ଏନ୍‌ଏସ୍‌ଜି-୪ ଷ୍ଟେଶନ ହୋଇଥିବାରୁ ଏଠାରେ ଏକ ଜିଆରପି ଥାନାର ଆବଶ୍ୟକତା ରହିଛି। ଏହି ଷ୍ଟେଶନ ଦେଇ ରାତିରେ ଅନେକ ଟ୍ରେନ ଚାଲୁଥିବାରୁ ଯାତ୍ରୀମାନେ ନିଜକୁ ଅସୁରକ୍ଷିତମନେ କରୁଛନ୍ତି ।

ଏସ୍‌ପି ଶତପଥୀ ସମସ୍ୟାକୁ ହୃଦୟଙ୍ଗମ କରି ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ସେ ବରଗଡ଼ର ଯୁବପୀଢ଼ିଙ୍କୁ ନିଶା କବଳରୁ ମୁକ୍ତ କରିବା ତଥା ବରଗଡ଼ ଜିଲାକୁ ଅପରାଧମୁକ୍ତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଥିଲେ ।

ପ୍ରତିନିଧି ଦଳରେ ସଭାପତି ପ୍ରଦୀପ ଦେବତା, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ସମ୍ପାଦକ କମଳ ଯୋଶୀ, ବରିଷ୍ଠ ସଦସ୍ୟ ଅଚ୍ୟୁତାନନ୍ଦ ବାରିକ, ଅଭୟ କୁମାର ଭୋଇ, ତୁଳସୀ ଚରଣ ଦାଶ, ସତ୍ୟ ନାରାୟଣ ପଣ୍ଡା, ଉଦ୍ଧବ ଚରଣ ବେହେରା, ପ୍ରଫୁଲ୍ଲ କୁମାର ନନ୍ଦ, ହରେକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

Share