ଯୁଗପୁରା-ବେତନଟୀ ରେଳଷ୍ଟେଶନ ଉନ୍ନତୀକରଣ ହେବ

ବୈଶିଙ୍ଗା,୨୪।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ଦକ୍ଷିଣ-ପୂର୍ବ ରେଳ ପଥର ରୂପସାରୁ ବାଙ୍ଗିରିପୋଷି ମଧ୍ୟରେ ଯୁଗୁପୁରା ଓ ବେତନଟୀ ରେଳ ଷ୍ଟେଶନର ଉନ୍ନତୀକରଣ କରାଯିବ। ରେଳଯାତ୍ରୀ ତଥା ଜନ ସାଧାରଣଙ୍କ ସୁବିଧା ପାଇଁ କେତୋଟି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହମତି ମିଳିଥିବା ଜଣାଯାଇଛି। ଦାବି ଉପସ୍ଥାପନ କରିବା ପାଇଁ ଏକ ପ୍ରତିନିଧି ଦଳରେ ପୂର୍ବତନ ଜିଲାପରିଷଦ ସଦସ୍ୟ ବ୍ରଜ ମୋହନ ବେହେରା, ଭାଜପା କର୍ମକର୍ତ୍ତା ରତିକାନ୍ତ ମହାନ୍ତ ଏବଂ ରାଜକିଶୋର ଶାହା ଦିଲ୍ଲୀରେ ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କ ସହ ଶୁକ୍ରବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ରେଳମନ୍ତ୍ରୀ ଦାବିପତ୍ର ଗ୍ରହଣ କରି ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଯୁଗୁପୁରା ରେଳ ଷ୍ଟେଶନ ନିକଟରେ ଈଶାଣପୁର ଅଣ୍ଡରପାସ, ବେତନଟୀ ରେଳ ଷ୍ଟେଶନ ନିକଟରେ ଆନନ୍ଦବଜାରକୁ ଅଣ୍ଡରପାସ, ବେତନଟୀ ଷ୍ଟେଶନର ଉନ୍ନତୀକରଣ ତଥା କମ୍ପ୍ୟୁଟରାଇଜ୍ଡ ଟିକଟ ସଂରକ୍ଷଣ ବ୍ୟବସ୍ଥାକୁ କରାଯିବା ନେଇ ସହମତି ଜଣାଇଥିଲେ। ଏଥି ସହିତ ଯୁଗୁପୁରା ରେଳ ଷ୍ଟେଶନରେ ଭଞ୍ଜପୁର-ପୁରୀ ରେଳ ରହଣି ପାଇଁ ଥିବା ଦୀର୍ଘ ଦିନର ଦାବି ଆସନ୍ତା ଅକ୍ଟୋବର ଠାରୁ କାର୍ଯ୍ୟକାରୀ କରାଯିବାର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।