ନବୀକରଣ ହେବ ରେଲଓ୍ବେ ଷ୍ଟେଶନ ରାସ୍ତା

ଟିକିରି,୧୫।୩(ଡି.ଏନ୍‌.ଏ.): କାଶୀପୁର ବ୍ଲକ ଟିକିରି ରେଲଓ୍ବେ ଷ୍ଟେଶନ ରାସ୍ତାର ନବୀକରଣ ପାଇଁ ସ୍ଥାନୀୟ ତହସିଲଦାର ଶରତ ଶବରଙ୍କ ଉପସ୍ଥିତରେ ଜମି ଚିହ୍ନଟ କରାଯାଇଛି। ରେଲଓ୍ବେ ସହକାରୀ ଯନ୍ତ୍ରୀ ଏବଂ ଟିକିରି ଆର୍‌ଆଇ ବନମାଳୀ ସାହୁ ପ୍ରମୁଖଙ୍କ ସହିତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ରାସ୍ତା ମାପଚୁପ କରିଥିଲେ।
ଟିକିରି ରେଞ୍ଜ ଅଫିସ ଛକଠାରୁ ନକଟିଗୁଡ଼ା ଛକ ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡିଥିବା ରାସ୍ତା ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ। ଏଥିପାଇଁ ସେମାନେ ରେଳରୋକୋ ଚେତାବନୀ ମଧ୍ୟ ଦେଇଥିଲେ। ରେଳବାଇ ୱାଲଟିୟର ଡିଭିଜନର ଏସିଏମ ଏମ୍‌. ଚକ୍ରବର୍ତ୍ତୀ ଏଥିରେ ହସ୍ତକ୍ଷେପ କରି ସ୍ଥାନୀୟ ପୋଲିସ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତୁରନ୍ତ ରାସ୍ତା କାମ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରେଳରୋକୋ ନିଷ୍ପତ୍ତି ସ୍ଥଗିତ ରହିଥିଲା। ପୂର୍ବରୁ ଏହି ରାସ୍ତା ରେଳବିଭାଗର ନୁହେଁ ବୋଲି ଦର୍ଶାଯାଉଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ଜମି ଚିହ୍ନଟ ପରେ ଷ୍ଟେଶନକୁ ଯିବା ରାସ୍ତା ରେଳ ବିଭାଗର ବୋଲି ସ୍ପଷ୍ଟ ହୋଇଛି। ଏହି ରାସ୍ତାରେ ଭାରିଯାନ ସହିତ ଅନ୍ୟାନ୍ୟ ଗାଡ଼ିମୋଟର ଯାତାୟତ କରୁଥିବାରୁ ଏହାର ସ୍ଥାୟିତ୍ୱ ପାଇଁ ଉଭୟ ପାର୍ଶ୍ୱରେ ଡ୍ରେନ ଏବଂ ଚଟାଣ ପେଭର ବ୍ଲକରେ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ରାସ୍ତା ଚିହ୍ନଟ ବେଳେ ପୋଲିସ ଏସଆଇ ଏମ୍‌. ଜେନାଙ୍କ ନେତୃତ୍ୱରେ ଫୋର୍ସ ଉପସ୍ଥିତ ଥିଲେ। ଗ୍ରାମବାସୀ ସହଯୋଗ କରିଥିଲେ।