Categories: ଜାତୀୟ

କେମ୍ବ୍ରିଜ୍‌ରେ ରାହୁଲଙ୍କ ନୂଆ ଲୁକ୍‌

ଲଣ୍ଡନ, ୨।୩:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଲୁକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ୫୨ ବର୍ଷୀୟ ରାଜନେତାଙ୍କ ନୂଆ ଲୁକ୍‌ର ଫଟୋ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ୭ ଦିନିଆ ଲଣ୍ଡନ ଗସ୍ତରେ ଥିବା ରାହୁଲ ବୁଧବାର କେମ୍ବ୍ରିଜ୍‌ ଜଜ୍‌ ବିଜ୍‌ନେସ୍‌ ସ୍କୁଲରେ ଭାଷଣ ଦେଇଛନ୍ତି। ଏହି ଅବସରରେ ସେ ଶୁଣିବାର କୌଶଳ ଉପରେ ବକ୍ତବ୍ୟ ରଖିବା ସହ ବିଶ୍ୱରେ ଏକ ଗଣତାନ୍ତ୍ରିକ ବାତାବରଣକୁ ପ୍ରୋତ୍ସାହନ ଦେବା ସକାଶେ ଚିନ୍ତା କରିବା ପାଇଁ ଆହ୍ବାନ ଦେଇଛନ୍ତି। ଭାରତ ଓ ଆମେରିକା ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଉତ୍ପାଦନ ହ୍ରାସ ପାଉଥିବାବେଳେ କମ୍ୟୁନିଷ୍ଟ ଚାଇନାରେ ମାନୁଫାକ୍‌ଚରିଂ ବଢ଼ିବାରେ ଲାଗିଛି।

ଫଳରେ ଅସମାନତା ଓ କ୍ରୋଧ ବ୍ୟାପୁଛି। ଏହାଉପରେ ଅଧିକ ଗୁରୁତ୍ୱ ଦେଇ ଆଲୋଚନା କରାଗଲେ ସମାଧାନ ସମ୍ଭବ ବୋଲି ସେ କହିଛନ୍ତି। ଭାରତ ଯୋଡ଼ୋ ଯାତ୍ରା ସମୟର ରାହୁଲଙ୍କ ଲୁକ୍‌ ଓ ବର୍ତ୍ତମାନର ଲୁକ୍‌ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ରାହୁଲ ଦାଢ଼ି ଓ କେଶକୁ କାଟି ଦେଇଥିବା ଫଟୋରେ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ କେମ୍ବ୍ରିଜ୍‌ରେ ଭାଷଣ ଦେଇ ରାହୁଲ ଖୁସି ଥିବା ଟୁଇଟରରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି।

Share