Categories: ଜାତୀୟ

ରାହୁଲଙ୍କ ବିମାନ ଅବତରଣ କରିବାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୧୪।୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏବେ ପ୍ରୟାଗରାଜରୁ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀଙ୍କୁ ସୋମବାର ବିଳମ୍ବିତ ରାତିରେ କେରଳର ୱାୟାନାଡରୁ ପ୍ରୟାଗରାଜ ଗସ୍ତ ବାତିଲ କରିବାକୁ ପଡିଛି। ଏହି ଗସ୍ତ ବାତିଲ ପାଇଁ କଂଗ୍ରେସ ଭାଜପାକୁ ଦାୟୀ କରିଛି।
କଂଗ୍ରେସ ଅଭିଯୋଗ କରିଛି, ରାହୁଲ ଗାନ୍ଧୀଙ୍କ ଚାର୍ଟାର୍ଡ ବିମାନ ୱାୟାନାଡରୁ ଏଠାକୁ ଯାଇଥିଲା, କିନ୍ତୁ ତାଙ୍କୁ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର (ବାବତପୁର ବିମାନବନ୍ଦର) ରେ ଅବତରଣ କରିବାକୁ ଦିଆଯାଇ ନ ଥିଲା। ରାହୁଲଙ୍କ ଲୋକପ୍ରିୟତାକୁ ନେଇ ଭାଜପା ଭୟଭୀତ ଅଛି।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ସୋମବାର ରାତିରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରୟାଗରାଜକୁ ଯାଉଥିଲେ। ଏହା ପରେ ସେ ମଙ୍ଗଳବାର ସକାଳେ କମଲା ନେହେରୁ ଟ୍ରଷ୍ଟର ବୈଠକରେ ଯୋଗ ଦେଇଥାନ୍ତେ। ତାଙ୍କ ଙ୍କ ବିମାନକୁ ଅବତରଣ କରିବାକୁ ଦିଆଯାଇ ନ ଥିବାରୁ ତାଙ୍କ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଛି।
କଂଗ୍ରେସ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଜୟ ରାୟ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଭାଜପା ଭୟ କରୁଛି। ସେଥିପାଇଁ ତାଙ୍କ ବିମାନକୁ ବାରାଣସୀରେ ଅବତରଣ କରିବାକୁ ଦିଆଯାଇ ନ ଥିଲା।

Share