ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବା ପରେ ଏକ ପ୍ରକାର ବିଜେଡି ଉପରେ ଭାରି ପଡ଼ିଛନ୍ତି ଏମ୍‌ପି ସପ୍ତଗିରି ଉଲାକା। ବର୍ତ୍ତମାନ କୋରାପୁଟ ଲୋକ ସଭା ଆସନ ଓ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ରକ୍ଷା କରିବାରେ ଲାଗି ପଡିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି। ଉଭୟ ଦଳର ଷ୍ଟାର ପ୍ରଚାରକ ରାୟଗଡ଼ା ଗସ୍ତରେ ଆସୁଛନ୍ତି। ଶୁକ୍ରବାର ରାୟଗଡ଼ାରେ ଜନସମାବେଶରେ ଯୋଗଦେଇ ପ୍ରଚାର କରିବେ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ। ଏଥିପାଇଁ ଜିଲାରେ ଚଳଚଞ୍ଚଳ କଂଗ୍ରେସ ପରିବାର। ତେବେ ଶନିବାର ବିଜେଡି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାୟଗଡ଼ା ଜିଲାର ୩ଟି ଆସନ ସମେତ ପଡ଼ୋଶୀ କୋରାପୁଟ ଜିଲାର ଲକ୍ଷ୍ମୀପୁର ଓ କଳାହାଣ୍ଡି ଜିଲାର ନର୍ଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ।
କୋରାପୁଟ ସଂସଦୀୟ କ୍ଷେତ୍ରର ୫ଟି ଆସନ ଅନୁସୂଚିତ ଜନଜାତି, ଗୋଟିଏ ଆସନ ଅନୁସୂଚିତ ଜାତି ଓ ଗୋଟିଏ ଆସନ ଅଣସଂରକ୍ଷିତ ରହିଛି। ଅର୍ଥାତ୍‌ ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ଆସନରେ ଆଦିବାସୀ ଭୋଟର ସଂଖ୍ୟା ଅଧିକ ରହିଛି। ଆଦିବାସୀ ଭୋଟ ହାତେଇବା ପାଇଁ ଷ୍ଟାର କ୍ୟାମ୍ପେନରମାନେ ଆସୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ରାଜ୍ୟରେ କେବଳ କୋରାପୁଟ ସଂସଦୀୟ କ୍ଷେତ୍ର କଂଗ୍ରେସ ହାତେଇଥିବାବେଳେ ୫ ବିଧାନସଭା ଆସନ ବିଜେଡି ଖାତାକୁ ଯାଇଥିଲା। ହେଲେ ଏବେ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଭରପୂର ଉଦ୍ୟମ ଚାଲିଛି। ଏଥିସହ ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲାର ଝୋଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। କାରଣ ଝୋଡ଼ିଆଙ୍କ ଭୋଟ ବିଭିନ୍ନ ସମୟରେ ନିର୍ଣ୍ଣାୟକ ହୋଇଥାଏ। ଗୋଟିଏ ପଟେ ଆଦିବାସୀ ଓ ଅନ୍ୟପଟେ ଝୋଡ଼ିଆଙ୍କ ଭୋଟ ହାତେଇବାକୁ ଉଭୟ ଦଳ ଉଦ୍ୟମ ଚଳାଇଥିବା ଚର୍ଚ୍ଚା ହେଉଛି।