ନୂଆଦିଲ୍ଲୀ,୨୪ା୧୧: ଆସନ୍ତା ୩୦ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଲାଗି ସିନିୟର ବ୍ୟାଟର ଲୋକେଶ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା କରାଯାଇଛି। ୮ ମାସର ବ୍ୟବଧାନ ପରେ ରବୀନ୍ଦ୍ର ଜାଡେଜା ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି।
ରାହୁଲଙ୍କୁ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍କୁ ଦୃଷ୍ଟିରେ ରଖି ନେତୃତ୍ୱ ଦିଆଯାଇଛି। ଗତ ୧ ବର୍ଷ ମଧ୍ୟରେ ମାତ୍ର ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିଥିବାରୁ ରିଷଭ ପନ୍ତଙ୍କୁ ଏହି ଗୁରୁଦାୟିତ୍ୱ ଲାଗି ଗୁରୁତ୍ୱ ଦିଆଯାଇ ନାହିଁ। ଗିଲ୍ ସୁସ୍ଥ ହୋଇ ଆସନ୍ତା ବର୍ଷ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଲାଗି ଦିନିକିଆ ଦଳକୁ ଫେରିବେ ଆଶା କରାଯାଉଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଆସନ୍ତା ୩୦ ତାରିଖରେ ରାଞ୍ଚିଠାରେ ଆରମ୍ଭ ହେବାକୁ ସିରିଜ୍ର ଅନ୍ତିମ ଦୁଇ ମ୍ୟାଚ୍ ରାଇପୁର (ଡିସେମ୍ବର ୩) ଓ ବିଶାଖାପାଟଣା (ଡିସେମ୍ବର ୬)ରେ ଖେଳାଯିବ।
ଅଲରାଉଣ୍ଡର ଜାଡେଜା ଦଳକୁ ଫେରିଛନ୍ତି। ସେ ଅନ୍ତିମ ଥର ଦୁବାଇଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ଖେଳିଥିବା ଅକ୍ଷର ପଟେଲ, ସିରାଜଙ୍କୁ ବିଶ୍ରାମ ଦିଆଯାଇଛି। ଅନ୍ତିମ ଥର ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ଖେଳିଥିବା ବୁମରାଙ୍କୁ ତାଙ୍କ ଓ୍ବାର୍କଲୋଡ୍ ମ୍ୟାନେଜମେଣ୍ଟ କାରଣରୁ ଦିନିକିଆ ସିରିଜ୍ରେ ଖେଳାଯିବ ନାହିଁ। ଦୁଇ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଗିଲ୍ଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୟସ୍ବାଲ ଓପନିଂ କରିବେ। ଗତ ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ଅନ୍ଅଫିସିଆଲ ଦିନିକିଆ ସିରିଜ୍ରେ ଭଲ ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଗାଏକ୍ୱାଡ ଏପର୍ଯ୍ୟନ୍ତ ୬ ଦିନିକିଆ ଖେଳିଛନ୍ତି। ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା ଓ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ପେସ ବିଭାଗ ସମ୍ଭାଳିବେ।
ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ତିଲକ ବର୍ମା, ଲୋକେଶ ରାହୁଲ (ଅଧିନାୟକ ଓ ଉଇକେଟକିପର), ରିଷଭ ପନ୍ତ (ଉଇକେଟକିପର), ଓ୍ବାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ୱାଡ, ପ୍ରସିଦ୍ଧ କ୍ରିଷ୍ଣା, ଧ୍ରୁବ ଜୁରେଲ ଓ ଅର୍ଶଦୀପ ସିଂ।
Dharitri – Odisha’s No.1 Odia Daily

