Categories: ଜାତୀୟ

ଲୋକ ସଭା ନିର୍ବାଚନ ପରେ ରାହୁଲ ଗିରଫ ହେବେ: ହିମନ୍ତ

ଗୁଆହାଟୀ,୨୫ା୧: ଆସାମରେ ହିଂସା ଉସୁକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କୁ ଲୋକ ସଭା ନିର୍ବାଚନ ପରେ ଗିରଫ କରାଯିବ ବୋଲି ବୁଧବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।
ଶିବସାଗର ଜିଲାର ନଜିରାରେ ହିମନ୍ତ କହିଛନ୍ତି, ରାହୁଲଙ୍କ ବିରୋଧରେ ଆମେ ଏଫ୍‌ଆଇଆର୍‌ କରିଛୁ। ଅଭିଯୋଗର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ରାହୁଲଙ୍କୁ ଏବେ ଗିରଫ କଲେ, ସେମାନେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବେ। କିଛି ମାସ ଭିତରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଶେଷ ହେବା ପରେ ଆମେ ତାଙ୍କୁ ଗିରଫ କରିବୁ। ଆସାମ ପୋଲିସ ମହାନିର୍ଦ୍ଦେଶକ ଜି.ପି. ସିଂ କହିଛନ୍ତି, ରାହୁଲଙ୍କ ମାମଲା ସିଆଇଡିକୁ ସ୍ଥାନାନ୍ତର କରାଯାଇଛି। ଏନେଇ ରାହୁଲ କହିଛନ୍ତି, ହିମନ୍ତ
ମୋ ବିରୋଧରେ ମାମଲା ରୁଜୁ କରିବା ବୁଦ୍ଧି କେଉଁଠୁ ପାଇଲେ, ତାହା ମୋତେ ଜଣାନାହିଁ। ଭାଜପା ଶାସିତ ଆସାମ ସରକାର ମୋ ବିରୋଧରେ ଯେତେ ଅଧିକ ସମ୍ଭବ ମାମଲା ରୁଜୁ କରନ୍ତୁ। ୨୫ ଏଫ୍‌ଆଇଆର୍‌ କଲେ ବି ଭୟଭୀତ ହେବାର ନାହିଁ। ପ୍ରକାଶ ଯେ, କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ରେ ଥିବା ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ ମଙ୍ଗଳବାର ଗୁଆହାଟୀରେ ବ୍ୟାରିକେଡ୍‌ ଭାଙ୍ଗିବା ପାଇଁ ନିଜ ସମର୍ଥକମାନଙ୍କୁ କହିବାରୁ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଭାଜପା ଅଭିଯୋଗ ଆଣିଥିଲା।

Share