ରାହୁଲଙ୍କ ବଧୂ ପାଲଟିଲେ ଦିଶା! ବିବାହ ବେଳର ଫଟୋ ଭାଇରାଲ

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ ଫେମ୍‌ ରାହୁଲ ବୈଦ୍ୟ। ପ୍ରେମିକା ଦିଶା ପରମାରଙ୍କ ସହ ତାଙ୍କର କିଛି ଫଟୋ ଏବେ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। କାରଣ ଫଟୋରେ ଉଭୟ ବିବାହ ପୋଷାକରେ ନଜର ଆସୁଛନ୍ତି। ଏହାକୁ ଦେଖି ପ୍ରଶଂସକମାନେ ସେମାନେ ବିବାହ କରିନେଇଥିବା କହୁଛନ୍ତି। ହେଲେ ସେଭଳି କିଛି ନୁହେଁ।

ରାହୁଲ-ଦିଶା ଏକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ। ଏହାର ଶୁଟିଂ ଚାଲୁ ରହିଛି। ଫଟୋଗୁଡ଼ିକ ଶୁଟିଂ ସମୟର। ଏଥିରେ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧି ବେଶ୍‌ ସୁନ୍ଦର ଦିଶୁଛନ୍ତି ଦିଶା। ସେହିଭଳି ପ୍ରେମିକାଙ୍କୁ ମ୍ୟାଚିଂ କରି ସେରଓ୍ବାନୀ ପିନ୍ଧିଛନ୍ତି ରାହୁଲ। ଫଟୋଗୁଡ଼ିକ ଭାଇରାଲ ହେବା ପରେ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ପରେ କିନ୍ତୁ ସତ ଜଣାପଡ଼ିବା ପରେ ପ୍ରଶଂସକ ନିରାଶ ହୋଇଛନ୍ତି। ଉଭୟଙ୍କୁ ଏକାଠି ଦେଖିବାକୁ ଆଉ କିଛି ଦିନ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ବିବାହ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଦିଶା କହିଛନ୍ତି।

ତେବେ ବିଗ୍‌ବସ ୧୪ରେ ରାହୁଲ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ସେତେବେଳେ ଦିଶାଙ୍କ ସହ ତାଙ୍କ ପ୍ରେମକାହାଣୀ ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ ବିଗ୍‌ବସ ଘରେ ରାହୁଲ ଦିଶାଙ୍କୁ ପ୍ରପୋଜ କରିଥିଲେ।

Share