Categories: ଖେଳ

ଉଇକେଟ ପଡ଼ିବାକୁ ଦେଲେନି ରାହୁଲ-ରୋହିତ

ଓଭାଲ,୩।୯: ଚତୁର୍ଥ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୯୮ ରନ୍‌ର ଅଗ୍ରଣୀ ହାସଲ କରିବା ପରେ ଭାରତୀୟ ଦଳ ଦ୍ୱିତୀୟ ଦିନ ସୁଦ୍ଧା ବିନା କୌଣସି କ୍ଷତିରେ ୪୩ ରନ୍‌ କରିଛି। ଦଳ ଏବେ ୫୬ ରନ୍‌ ପଛରେ ରହିଥିବା ବେଳେ ହାତରେ ରହିଛି ୧୦ ଉଇକେଟ।

ପୂର୍ବଦିନର ସ୍କୋର ୫୩/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡକୁ ଦ୍ୱିତୀୟ ଦିନ ଆରମ୍ଭରୁ ଡବଲ ଝଟକା ଦେଇଥିଲେ ଭାରତୀୟ ପେସର ଉମେଶ ଯାଦବ। ଦଳ ମାତ୍ର ୬୨ ରନ୍‌ ମଧ୍ୟରେ ଅଧା ଉଇକେଟ ହରାଇ ସାରିଥିଲା। ଲାଗୁଥିଲା ଇଂଲଣ୍ଡ ଦଳ ଖୁବ୍‌ ଶୀଘ୍ର ଅଲଆଉଟ୍‌ ହୋଇଯିବ। କିନ୍ତୁ ଓଲି ପୋପ (୮୧), ମୋଇନ ଅଲି (୩୫) ଓ କ୍ରିସ ଓ୍ବେକ୍ସ (୫୦)ଙ୍କ ଉଇକେଟ ନେବା ପାଇଁ ଭାରତୀୟ ବୋଲରଙ୍କୁ ଖୁବ୍‌ ଝାଳ ବୁହାଇବାକୁ ପଡ଼ିଥିଲା। ଶେଷରେ ୨୯୦ ରନ୍‌ରେ ଅଟକି ଥିଲା ଘରୋଇ ଦଳର ପ୍ରଥମ ଇନିଂସ।
ଭାରତ ଲାଗି ଉମେଶ ୩ ଉଇକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ୨ ଲେଖାଏ ଉଇକେଟ ହାତେଥିଲେ। ଏହାପରେ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଭାରତକୁ ଭଲ ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ବିନା କୌଣସି କ୍ଷତିରେ ୪୩ ରନ୍‌ କରିଛି। ରୋହିତ ୨୦ ଓ ରାହୁଲ ୨୨ ରନ୍‌ କରି ଅପରାଜିତ ଅଛନ୍ତି।

Share