ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡର ୱେଲିଂଟନସ୍ଥିତ ବେସିନ ରିଜର୍ଭ ଷ୍ଟାଡିୟମ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍ରେ ପ୍ରଥମ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ବିଶେଷକରି ଟପ-୩ ବ୍ୟାଟରଙ୍କ ଜବରଦସ୍ତ ବ୍ୟାଟିଂ ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଛି। ଏହା ସହ ଭାରତୀୟ ଟେଷ୍ଟ କ୍ରିକେଟ୍ରେ ଏକ ବିରଳ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି।
ପ୍ରଥମ ଉଇକେଟ ପାଇଁ କେଏଲ ରାହୁଲ ଓ ଯଶସ୍ବୀ ଜୟସ୍ବାଲଙ୍କ ମଧ୍ୟରେ ୧୩୦ ରନ୍ର ଶତକୀୟ ଭାଗୀଦାରି ହୋଇଥିବାବେଳେ ଦ୍ୱିତୀୟ ଉଇକେଟ ପାଇଁ ରାହୁଲ ଓ ଦେବଦତ୍ତ ପଡ଼ିକଲଙ୍କ ମଧ୍ୟରେ ୧୬୫ ରନ୍ର ବଡ଼ ଭାଗୀଦାରି ଦେଖିବାକୁ ମିଳିଛି। ଏହି ଦୁଇଟି ଭାଗୀଦାରି ଫଳରେ ଭାରତୀୟ ଦଳ ଏକ ଐତିହାସିକ ରେକର୍ଡର ଅଧିକାରୀ ହୋଇଛି।
ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ SENA ଦେଶ କୁହାଯାଏ। ଏହି ଦେଶଗୁଡ଼ିକରେ ଟେଷ୍ଟ କ୍ରିକେଟ ଖେଳିବା ଭାରତୀୟ ବ୍ୟାଟରଙ୍କ ପାଇଁ ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ ରହିଆସିଛି। ତେବେ ୱେଲିଂଟନ ଟେଷ୍ଟରେ ଭାରତୀୟ ବ୍ୟାଟରମାନେ ଏଭଳି ଏକ କାରନାମା କରିଛନ୍ତି, ଯାହା ଏହା ପୂର୍ବରୁ ମାତ୍ର ତିନିଥର ଦେଖିବାକୁ ମିଳିଥିଲା। SENA ଦେଶରେ ଖେଳାଯାଇଥିବା ଗୋଟିଏ ଟେଷ୍ଟ ଇନିଂସରେ ଭାରତ ପକ୍ଷରୁ ପ୍ରଥମ ଦୁଇଟି ଉଇକେଟ ପାଇଁ ଦୁଇଟି ଶତକୀୟ ଭାଗୀଦାରି ହୋଇଛି। ଏହା ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ଚତୁର୍ଥ ଘଟଣା।
ଭାରତୀୟ ଟେଷ୍ଟ କ୍ରିକେଟ୍ରେ ଏହା ପୂର୍ବରୁ ତିନିଥର ଏଭଳି ରେକର୍ଡ ଦେଖିବାକୁ ମିଳିଥିଲା।
-ଓଭାଲ, ଇଂଲଣ୍ଡ (୧୯୭୯): ସୁନୀଲ ଗାଭାସ୍କର ଓ ଚେତନ ଚୌହାନଙ୍କ ମଧ୍ୟରେ ୨୧୩ ରନ୍ର ଭାଗୀଦାରି ହୋଇଥିଲା। ପରେ ଗାଭାସ୍କର ଓ ଦିଲୀପ ଭେଙ୍ଗସରକର ଦ୍ୱିତୀୟ ଉଇକେଟ ପାଇଁ ୧୫୩ ରନ ଯୋଡ଼ିଥିଲେ।
-ସିଡନୀ, ଅଷ୍ଟ୍ରେଲିଆ (୧୯୮୫-୮୬): ଗାଭାସ୍କର ଓ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ପ୍ରଥମ ଉଇକେଟ ପାଇଁ ୧୯୧ ରନ କରିଥିବାବେଳେ ଦ୍ୱିତୀୟ ଉଇକେଟ ପାଇଁ ଗାଭାସ୍କର ଓ ମହିନ୍ଦର ଅମରନାଥ ୨୨୪ ରନ ଯୋଡ଼ିଥିଲେ।
-ମେଲବର୍ଣ୍ଣ, ଅଷ୍ଟ୍ରେଲିଆ (୨୦୦୩):ବୀରେନ୍ଦ୍ର ସେହ୍ବାଗ ଓ ଆକାଶ ଚୋପ୍ରା ପ୍ରଥମ ଉଇକେଟ ପାଇଁ ୧୪୧ ରନ କରିଥିଲେ। ପରେ ସେହ୍ବାଗ ଓ ରାହୁଲ ଦ୍ରାବିଡ଼ ଦ୍ୱିତୀୟ ଉଇକେଟ ପାଇଁ ୧୩୭ ରନ୍ର ଭାଗୀଦାରି କରିଥିଲେ।
-ୱେଲିଂଟନ,ନ୍ୟୁଜିଲାଣ୍ଡ (୨୦୨୬):କେଏଲ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ପ୍ରଥମ ଉଇକେଟ ପାଇଁ ୧୩୦ ରନ ଯୋଡ଼ିଥିବାବେଳେ ରାହୁଲ ଓ ଦେବଦତ୍ତ ପଡ଼ିକଲ ଦ୍ୱିତୀୟ ଉଇକେଟ ପାଇଁ ୧୬୫ ରନ କରିଛନ୍ତି।
କେବଳ ଭାଗୀଦାରି ନୁହେଁ, ବ୍ୟକ୍ତିଗତ ପ୍ରଦର୍ଶନରେ ମଧ୍ୟ କେଏଲ ରାହୁଲ ଏହି ଟେଷ୍ଟରେ ନୂଆ ରେକର୍ଡ କରିଛନ୍ତି। ନ୍ୟୁଜିଲାଣ୍ଡ ମାଟିରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଶତକ ହାସଲ କରିବାରେ ସେ ତୃତୀୟ ଭାରତୀୟ ବ୍ୟାଟର୍ ହୋଇଛନ୍ତି।
ଏହା ପୂର୍ବରୁ ୧୯୭୬ ମସିହାରେ ଅକଲାଣ୍ଡ ମଇଦାନରେ ସୁନୀଲ ଗାଭାସ୍କର ଓ ସୁରିନ୍ଦର ଅମରନାଥ ନିଜର ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଶତକ ହାସଲ କରି ଏହି କାରନାମା କରିଥିଲେ। ଏବେ ରାହୁଲ ଏହି ସ୍ବତନ୍ତ୍ର ତାଲିକାରେ ସାମିଲ ହୋଇଛନ୍ତି।