Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଓ୍ବାୟନାଡ ଅଫିସ ଭଙ୍ଗାରୁଜା

ଓ୍ବାୟନାଡ,୨୫।୬: କେରଳର ଓ୍ବାୟନାଡରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଅଫିସ୍‌କୁ ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ସଦସ୍ୟମାନେ ଭଙ୍ଗାରୁଜା କରିଛନ୍ତି। ଶୁକ୍ରବାର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ରାହୁଲଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ସେଠାରେ ଥିବା ଆସବାବପତ୍ର ଓ ଅନ୍ୟାନ୍ୟ ଉପକରଣ ଭଙ୍ଗାରୁଜା କରିଥିଲେ। ଏଥିରେ ରାହୁଲଙ୍କ କାର୍ଯ୍ୟାଳୟର କେତେଜଣ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇଏସ୍‌ଜେଡ୍‌) ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟରେ ରାହୁଲ ହସ୍ତକ୍ଷେପ କରୁ ନ ଥିବା ଅଭିଯୋଗ କରି ଏସ୍‌ଏଫ୍‌ଆଇ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ପୋଲିସ ୮ ଜଣ ଏସ୍‌ଏଫ୍‌ଆଇ କର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ରାହୁଲଙ୍କ କାର୍ଯ୍ୟାଳୟ ନିକଟରେ ଅଧିକ ପୋଲିସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ବନ୍ୟପ୍ରାଣୀ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଏବଂ ସମସ୍ତ ସଂରକ୍ଷିତ ଅଞ୍ଚଳ ଚତୁଃପାର୍ଶ୍ୱରେ ୧ କିଲୋମିଟର ବ୍ୟାପୀ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇଏସ୍‌ଜେଡ୍‌) ଘୋଷଣା କରାଯିବା ବାଧ୍ୟତାମୂଳକ। ଉକ୍ତ ଅଞ୍ଚଳରେ ନିର୍ମାଣ ଓ ଖଣି ଖନନ କାର୍ଯ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ନେଇଥିଲେ। ଏହାକୁ କେରଳରେ ପ୍ରବଳ ବିରୋଧ କରାଯିବା ସହ ରାହୁଲ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରାଯାଇଥିଲା। ରାହୁଲ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ବଫର ଜୋନ୍‌କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରବଳ ବିରୋଧ କରାଯାଉଥିବା କହିଥିଲେ। ଏଭଳି କଟକଣା ଦ୍ୱାରା ପଶ୍ଚିମଘାଟ ପାର୍ବତ୍ୟାଞ୍ଚଳର ଘନ ଜନବସତି ଅଞ୍ଚଳର ଲୋକଙ୍କ ଜୀବିକା ହେବ ବୋଲି ସେ ଦର୍ଶାଇଥିଲେ।

Share