Categories: ଜାତୀୟ

ଦୀକ୍ଷା ନେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଲିଙ୍ଗାୟତ ସମ୍ପ୍ରଦାୟର ଦୀକ୍ଷା ଗ୍ରହଣ କରିଛନ୍ତି। କର୍ନାଟକର ଚିତ୍ରଦୁର୍ଗାଠାରେ ଥିବା ପ୍ରସିଦ୍ଧ ଲିଙ୍ଗାୟତ ମଠର ମୁଖ୍ୟ ଡାକ୍ତର ଶିବମୂର୍ତ୍ତୀ ମୁରଗା ଶରଣରୁ ସ୍ବାମୀଙ୍କୁ ଭେଟି ସେ ଇଷ୍ଟଲିଙ୍ଗ ଦୀକ୍ଷା ନେଇଥିଲେ। ଏହି ସମୟରେ କର୍ନାଟକ କଂଗ୍ରେସର ଅନେକ ନେତା ଉପସ୍ଥିତ ଥିଲେ। ରାହୁଲଙ୍କ ଇଷ୍ଟଲିଙ୍ଗ ଦୀକ୍ଷା ଦିଆଯାଉଥିବାବେଳେ ମଠ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଏହା ଐତିହାସିକ ସମୟ, ରାହୁଲ ଗାନ୍ଧୀ ଲିଙ୍ଗାୟତ ଦୀକ୍ଷା ଗ୍ରହଣ କରୁଛନ୍ତି।
ରାହୁଲ ଗାନ୍ଧି ଟୁଇଟ୍‌ କରି କହିଛନ୍ତି, ଶ୍ରୀଜଗତଗୁରୁ ମୁରଗାରାଜେନ୍ଦ୍ର ବିଦ୍ୟାପୀଠ ପରିଦର୍ଶନ କରି ଡ. ଶିବମୂର୍ତ୍ତୀ ମୁରଗା ଶରଣରୁଙ୍କଠାରୁ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିବା ଏକ ସମ୍ମାନର ବିଷୟ।
୨୦୨୩ରେ ହେବାକୁ ଥିବା କର୍ନାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲିଙ୍ଗାୟତ ସମ୍ପ୍ରଦାୟଙ୍କୁ ଆକୃଷ୍ଟ କରିବା ପାଇଁ ରାହୁଲ ଏହି ଦୀକ୍ଷା ନେଇଥିବା ଚର୍ଚ୍ଚା ହେଉଛି। ଲିଙ୍ଗାୟତ ସମ୍ପ୍ରଦାୟର ଏକ ବୃହତ ଭୋଟ ବ୍ୟାଙ୍କ ଅଛି।
୧୨ଶ ଶତାବ୍ଦୀରେ କର୍ନାଟକର ପ୍ରସିଦ୍ଧ ସନ୍ଥ ତଥା ସମାଜ ସଂସ୍କାରକ ବାସବେଶ୍ବର ଏହି ଲିଙ୍ଗାୟତ ସଂପ୍ରଦାୟର ପ୍ରତିଷ୍ଠା କରିଥିଲେ। ଏହି ସମ୍ପ୍ରଦାୟର ଲୋକମାନେ ଭଗବାନ ଶିବଙ୍କ ଆରାଧନା କରନ୍ତି।

Share