ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଏହାକୁ ଏକ ବୈଷୟିକ ତ୍ରୁଟି (Technical Glitch) ବୋଲି ଦର୍ଶାଇଥିଲା ଏବଂ କିଛି ସମୟ ବିଳମ୍ୱରେ ପରୀକ୍ଷା ଆରମ୍ଭ କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି।

ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ସେ କହିଛନ୍ତି, “NEET, CBSE, SSC ଏବଂ ଆଜି CUET। ଚାରୋଟି ପରୀକ୍ଷା, ଏକ କୋଟି ପିଲା, ହେଲେ ଗୋଟିଏ ବି ପରୀକ୍ଷା ସ୍ୱଚ୍ଛତା ସହ ଶେଷ ହୋଇପାରିଲା ନାହିଁ।”

ରାହୁଲ ଗାନ୍ଧୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି, ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା ସଠିକ ଭାବେ କରାଇପାରୁନାହାନ୍ତି ମୋଦିଜୀ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦେଇଛନ୍ତି। ଆପଣ ଯେଉଁ ପିଢ଼ିର ଭବିଷ୍ୟତ ବରବାଦ କରୁଛନ୍ତି ସେହି ପିଢ଼ି ହିଁ ଦିନେ ଆପଣଙ୍କ ଠାରୁ ହିସାବ ନେବ।”