ଯେଉଁଠି ପ୍ରଥମେ ଭେଟିଥିଲେ ସୋନିଆ-ରାଜୀବ, ସେହି ରେଷ୍ଟୁରାଣ୍ଟକୁ ଗର୍ଲଫ୍ରେଣ୍ଡଙ୍କ ସହ ଯାଇଥିଲେ ରାହୁଲ! ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ର ଉନ୍ମୋଚନ ଅବସରରେ ପରିବାର ସହ ଜଡ଼ିତ ଅନେକ ଅଜଣା କାହାଣୀ ଶେୟାର କରିଛନ୍ତି। ଏହି ଅବସରରେ ସେ କେମ୍ବ୍ରିଜର ଏକ ରେଷ୍ଟୁରାଣ୍ଟରେ ତାଙ୍କ ମାତାପିତାଙ୍କ ପ୍ରଥମ ସାକ୍ଷାତ ସମ୍ପର୍କିତ କାହାଣୀ ମଧ୍ୟ ଶୁଣାଇଥିଲେ।

ରାହୁଲ ଗାନ୍ଧୀ କହିଥିଲେ ଯେ, ତାଙ୍କ ମାତାପିତାଙ୍କ ପ୍ରଥମ ସାକ୍ଷାତକୁ ନେଇ ପରିବାରରେ ଅନେକ କାହାଣୀ ପ୍ରଚଳିତ ଥିଲା। ସେଥିମଧ୍ୟରୁ ଗୋଟିଏ ଥିଲା କେମ୍ବ୍ରିଜର ‘ଭର୍ସିଟି ରେଷ୍ଟୁରାଣ୍ଟ’ର କାହାଣୀ। ଏହି ରେଷ୍ଟୁରାଣ୍ଟରେ ହିଁ ସୋନିଆ ଓ ରାଜୀବ ଗାନ୍ଧୀ ପ୍ରଥମ ଥର ପରସ୍ପରକୁ ଭେଟିଥିଲେ। ଅନେକ ବର୍ଷ ପରେ ଯେତେବେଳେ ରାହୁଲ ନିଜେ କେମ୍ବ୍ରିଜର ପଢ଼ୁଥିଲେ, ସେତେବେଳେ ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ସେହି ରେଷ୍ଟୁରାଣ୍ଟକୁ ଯାଇଥିଲେ।

ସେ କହିଛନ୍ତି, ମୋ ମାଆ ଓ ବାପାଙ୍କ ବିଷୟରେ ଅନେକ ପୁରୁଣା କାହାଣୀ ଥିଲା। ସେଥିମଧ୍ୟରୁ ଗୋଟିଏ ବଡ଼ କାହାଣୀ ଥିଲା ଭର୍ସିଟି ରେଷ୍ଟୁରାଣ୍ଟରେ ସେମାନଙ୍କ ପ୍ରଥମ ସାକ୍ଷାତକୁ ନେଇ। ବହୁ ବର୍ଷ ପରେ ମୁଁ କେମ୍ବ୍ରିଜରେ ଥିବା ସମୟରେ ମୋ ଗାର୍ଲଫ୍ରେଣ୍ଡଙ୍କୁ କହିଥିଲି, ଚାଲ ଭର୍ସିଟି ରେଷ୍ଟୁରାଣ୍ଟ ଯିବା। ମୁଁ ଦେଖିବାକୁ ଚାହୁଁଥିଲି ମୋ ମାଆ ଓ ବାପା କେଉଁଠି ଭେଟିଥିଲେ।

ରାହୁଲ କହିଛନ୍ତି ଯେ, ସେ ରେଷ୍ଟୁରାଣ୍ଟରେ ବସିବା ପରେ ୱେଟର ତାଙ୍କ ପାଖକୁ ମେନ୍ୟୁ ନେଇ ଆସିଥିଲେ। ସେତେବେଳେ ସେ ୱେଟରଙ୍କୁ କହିଥିଲେ ଯେ, ତାଙ୍କ ମାତାପିତା ଏହି ରେଷ୍ଟୁରାଣ୍ଟରେ ହିଁ ପ୍ରଥମେ ଭେଟିଥିଲେ। ଏହା ଶୁଣି ୱେଟର କହିଥିଲେ, ଓଃ, ସେମାନଙ୍କୁ ମୁଁ ଜାଣେ। ଏହା ଶୁଣି ରାହୁଲ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ, ଆପଣ ସେମାନଙ୍କ ବିଷୟରେ କ’ଣ ଜାଣନ୍ତି?

ଏହାପରେ ୱେଟର କହିଥିଲେ ଯେ, ସେ ସୋନିଆ ଓ ରାଜୀବ ଗାନ୍ଧୀ ଉଭୟଙ୍କୁ ଜାଣନ୍ତି ଏବଂ ରାହୁଲ କାହା ବିଷୟରେ କହୁଛନ୍ତି ତାହା ମଧ୍ୟ ଠିକ ଭାବେ ବୁଝିପାରୁଛନ୍ତି। ରାହୁଲଙ୍କ କହିବା ଅନୁସାରେ, ସେହି ୱେଟର ତାଙ୍କୁ ମାତାପିତାଙ୍କ ବିଷୟରେ ଅନେକ କଥା କହିଥିଲେ। ଏପରିକି ତାଙ୍କ ମାତାପିତାଙ୍କୁ ଯେଉଁ ଚିକେନ ପରଷା ଯାଇଥିଲା, ସେ ମଧ୍ୟ ସେହି ଚିକେନ ଖାଇଥିଲେ।

ରାହୁଲ ଗାନ୍ଧୀ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀ ଓ ବାପା ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପରିବାରର ଜୀବନରେ ଆସିଥିବା ପରିବର୍ତ୍ତନକୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ ଯେ, ବାପାଙ୍କ ଦେହାନ୍ତ ପରେ ତାଙ୍କ ମାଆ ଆଉ ପୂର୍ବଭଳି ରହିନଥିଲେ। ସବୁବେଳେ ହସୁଥିବା ଓ ଖୁସି ରହୁଥିବା ମାଆ କେଉଁଠି ହଜିଗଲେ ଏବଂ ତାଙ୍କ ସ୍ଥାନରେ ଏକ ନୂଆ ମାଆଙ୍କୁ ଦେଖିବାକୁ ମିଳିଲା।

ରାହୁଲ କହିଛନ୍ତି, ପରିବାର ଇନ୍ଦିରା ଗାନ୍ଧୀଙ୍କୁ ଗୁଳି ଲାଗିବାର ଦୃଶ୍ୟ ଦେଖିଥିଲା। ଏହାପରେ ସେମାନେ ନିଜର ସବୁଠାରୁ ବଡ଼ ସାହାରା ରାଜୀବ ଗାନ୍ଧୀଙ୍କୁ ମଧ୍ୟ ହରାଇଥିଲେ। ମାଆ ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା କଥାବାର୍ତ୍ତା ବିଷୟରେ କହି ରାହୁଲ କହିଥିଲେ ଯେ, ତାଙ୍କ ମାଆଙ୍କର ଅନେକ କଥା ମନେ ରହିଥାଏ। କିନ୍ତୁ ବାପାଙ୍କ ମୃତ୍ୟୁ ସମୟରେ କ’ଣ ଘଟିଥିଲା ବୋଲି ପଚାରିଲେ ତାଙ୍କୁ କିଛି ମନେ ପଡ଼େ ନାହିଁ।

ରାହୁଲ ଗାନ୍ଧୀ ରାଜୀବ ଓ ସୋନିଆ ଗାନ୍ଧୀଙ୍କ ସମ୍ପର୍କକୁ ମନେ ପକାଇ କହିଛନ୍ତି, ତାଙ୍କ ମାତାପିତାଙ୍କ ମଧ୍ୟରେ ଅତ୍ୟନ୍ତ ସୁନ୍ଦର ପ୍ରେମ ସମ୍ପର୍କ ଥିଲା। କିନ୍ତୁ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସୋନିଆଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା।

 

 

Dharitri – Odisha’s No.1 Odia Daily

Share
Tags: Rahul gandhi