ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହ ଭାରତୀୟଙ୍କ ଖାଦ୍ୟ ଅଭ୍ୟାସକୁ ନେଇ ସେ ନିଜ ମତ ରଖିବା ସହ ମାଂସାହାରୀ ଖାଦ୍ୟର ମଧ୍ୟ ଉଲ୍ଲେଖ କରିଛନ୍ତି।
ରାହୁଲ ଗାନ୍ଧୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଜାଣିବା ପାଇଁ କହି ରଖୁଛି, ୮୦ ପ୍ରତିଶତ ଭାରତୀୟ ମାଂସାହାରୀ। ଭାରତୀୟ ମାଂସାହାରୀ ଖାଦ୍ୟ ବହୁତ ସ୍ୱାଦିଷ୍ଟ। ଆଉ ମୋ ଭଉଣୀଙ୍କ ଛୋଲେ-ଭଟୁରେ ମଧ୍ୟ।” ଏଥିରୁ ଜଣାପଡ଼ୁଛି ଯେ, ଫଟୋରେ ଥିବା ଛୋଲେ-ଭଟୁରେ ତାଙ୍କ ଭଉଣୀ ତଥା କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ପ୍ରସ୍ତୁତ କରିଛନ୍ତି।
ଏହା ପୂର୍ବରୁ ରାହୁଲ ଗାନ୍ଧୀ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କୁ ଭେଟିଥିଲେ। ଜଳଖିଆ ସମୟରେ ହୋଇଥିବା ଏହି ସାକ୍ଷାତରେ ଭାରତ ଓ ମାଲେସିଆ ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। କଂଗ୍ରେସ ପକ୍ଷରୁ ଏହି ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ରାହୁଲ ଗାନ୍ଧୀ ଓ ଅନୱାର ଇବ୍ରାହିମଙ୍କ ଏହି ସାକ୍ଷାତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ମୋଦି ଓ ଇବ୍ରାହିମଙ୍କ ଆଲୋଚନାରେ ବାଣିଜ୍ୟ, ସେମିକଣ୍ଡକ୍ଟର, ଭିତ୍ତିଭୂମି ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଏହି ବୈଠକ ହୋଇଥିଲା। ମାଲେସିଆ ବ୍ରିକ୍ସର ଏକ ପାର୍ଟନର ଦେଶ।
ବ୍ରିକ୍ସ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଭାରତ ମଣ୍ଡପମରେ ରାଷ୍ଟ୍ରମୁଖ୍ୟମାନଙ୍କ ସମ୍ମାନରେ ବିଶେଷ ଡିନର ଆୟୋଜିତ ହୋଇଥିଲା। ଏଥିରେ ଭାରତୀୟ ସଂସ୍କୃତି, ବିବିଧତା ଓ ପାରମ୍ପରିକ ସ୍ୱାଦର ଝଲକ ଦେଖିବାକୁ ମିଳିଥିଲା। ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ଶାକାହାରୀ ମେନୁରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ଭାରତର ବିଭିନ୍ନ ପାରମ୍ପରିକ ଖାଦ୍ୟକୁ ଆଧୁନିକ ଶୈଳୀରେ ପରସା ଯାଇଥିଲା।
ଷ୍ଟାର୍ଟର ଭାବେ ଖାଣ୍ଡଭି ମିଲ୍-ଫୋଇ ଓ ଖୁମ୍ବ ଗଲୌଟି ପରସା ଯାଇଥିଲା। ମୁଖ୍ୟ ଖାଦ୍ୟରେ ପନିର ଲବାବଦାର, ଗୁଚ୍ଛି ମାର୍ମିକ, କ୍ୟାରେଟ୍ ବିନ୍ ପୋରିୟାଲ, ତକ୍କାଲି ବେଲେ ସାରୁ, ମିଲେଟ୍ ପୁଲାଓ, ବିଟ୍ରୁଟ୍ ରାଇତା ସହ ବିଭିନ୍ନ ପ୍ରକାରର ରୁଟି ଓ ନାନ୍ ପରସା ଯାଇଥିଲା।