ମୋଦିଙ୍କୁ ପୁଣି ରାହୁଲଙ୍କ ଚ୍ୟାଲେଞ୍ଜ, କହିଲେ ଡରନ୍ତୁ ନାହିଁ….

ନୂଆଦିଲ୍ଲୀ, ୩।୧୧: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ବିତର୍କ ପାଇଁ ଦେଇଥିବା ଚ୍ୟାଲେଞ୍ଜକୁ ସେ ଦୋହରାଇଛନ୍ତି । ଏଥିସହ ମୋଦିଙ୍କୁ କହିଛନ୍ତି, “୨୪ ଘଣ୍ଟା ବିତିଗଲାଣି ମୋଦି ଜୀ। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦେଇଛି । ଆପଣ ବିରୋଧୀଙ୍କୁ ଦେଶଦ୍ରୋହୀ କହୁଛନ୍ତି। ତେଣୁ ଯେକୌଣସି ସ୍ଥାନ ବାଛନ୍ତୁ ଏବଂ ମୋ ସହିତ ବିତର୍କ କରନ୍ତୁ। କିଏ ଦେଶଦ୍ରୋହୀ ଏବଂ କାହାର ବିଦେଶୀ ଶକ୍ତି ସହ କି ପ୍ରକାର ସମ୍ପର୍କ ରହିଛି, ତାହା ଉପରେ ଆଲୋଚନା ହେଉ । ଯଥାଶୀଘ୍ର ଏହା କରନ୍ତୁ, ଡରନ୍ତୁ ନାହିଁ।”

ରାହୁଲ ଆହୁରି କହିଛନ୍ତି ଯେ, ବିତର୍କ ସମୟରେ ଉଭୟ ପକ୍ଷ ଉପସ୍ଥିତ ରହିବେ । ସେଠାରେ ଗଣମାଧ୍ୟମ ଓ ଦେଶର ଯୁବବର୍ଗ ମଧ୍ୟ ରହିବେ । ଗୋଟିଏ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ପାର୍ଶ୍ୱରେ ସେ ନିଜେ ବସିବେ । ବିତର୍କର ବିଚାରକ ଭାବେ ଯାହାକୁ ମୋଦି ଚାହିଁବେ, ତାଙ୍କୁ ନିଯୁକ୍ତ କରିପାରିବେ ବୋଲି ରାହୁଲ କହିଛନ୍ତି ।

ଏପରିକି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କୁ ମଧ୍ୟ ବିଚାରକ ଭାବେ ବସାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଏହାଦ୍ୱାରା ଉଭୟ ପକ୍ଷ ନିଜ ନିଜର ମତ ରଖିପାରିବେ ଏବଂ ଦେଶର ଲୋକେ ଆଲୋଚନା ଶୁଣିପାରିବେ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Share