ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ପ୍ରମୁଖ ବିରୋଧୀ ନେତାଙ୍କୁ ପ୍ରଧାନମନ୍ତ୍ରୀ ବାସଭବନ ନିକଟରେ ପ୍ରତିବାଦ ପ୍ରଦର୍ଶନ ସମୟରେ ପୋଲିସ ଅଟକ ରଖିଥିଲା। ଅଟକରୁ ମୁକ୍ତ ହେବା ପରେ ରାହୁଲ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରି ପିଏମ ଆବାସ ବାହାରେ କରାଯାଇଥିବା ପ୍ରତିବାଦର କାରଣ ସ୍ପଷ୍ଟ କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି , ସେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ଜୁଲାଇ ୨୦ ତାରିଖରେ ଛାତ୍ରୀଛାତ୍ରମାନଙ୍କର ସଂସଦ ମାର୍ଚ୍ଚ ସମୟରେ ଘଟିଥିବା ଘଟଣାଗୁଡ଼ିକ ଉପରେ ସଦନରେ ଆଲୋଚନା କରାଇବା ପାଇଁ ଦାବି କରିଥିଲେ। ରାହୁଲଙ୍କ ଅଭିଯୋଗ ହେଉଛି ଯେ ବାଚସ୍ପତି ସରକାରଙ୍କଠାରୁ ଅନୁମତି ନେବାକୁ କହିଥିଲେ, ଯାହାଦ୍ୱାରା ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ସରକାର ଛାତ୍ରୀଛାତ୍ରଙ୍କ ସମସ୍ୟା ଉପରେ କଥା ହେବା ପାଇଁ ଆଦୌ ଆଗ୍ରହୀ ନୁହଁନ୍ତି। ଏହି କାରଣରୁ ବିରୋଧୀ ଦଳଗୁଡ଼ିକ ଛାତ୍ରୀଛାତ୍ରଙ୍କ ସ୍ବରକୁ ଜାତୀୟସ୍ତରରେ ଉଠାଇବା ପାଇଁ ପ୍ରଧାନମନ୍ତ୍ରୀ ବାସଭବନ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ।
ରାହୁଲ ଗାନ୍ଧୀ ସରକାରଙ୍କ ସମ୍ମୁଖରେ ରଖିଲେ ୪ଟି ପ୍ରମୁଖ ସର୍ତ୍ତ:
ଇସ୍ତଫା ଦାବି: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ।
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ: ଯେଉଁ ପୋଲିସ କର୍ମଚାରୀ କିମ୍ବା ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହିତ ମାରପିଟ୍ ଏବଂ ଦୁର୍ବ୍ୟବହାର କରିଛନ୍ତି, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ମାମଲା ପ୍ରତ୍ୟାହାର ହେଉ: ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ର ଏବଂ ଯୁବବର୍ଗଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆର୍. ଏବଂ ମାମଲା ପ୍ରତ୍ୟାହାର କରାଯାଉ।
ସଂସଦରେ (ଆଲୋଚନା): ସଂସଦର ଉଭୟ ସଦନରେ ଏହି ପ୍ରସଙ୍ଗ ଉପରେ ତୁରନ୍ତ ବିସ୍ତୃତ ଆଲୋଚନା କରାଯାଉ।