Categories: ଜାତୀୟ

‘ରାହୁଲ ଚାହୁଁଛନ୍ତି ଚାଇନା ସାମ୍ନାରେ ଆତ୍ମ ସମର୍ପଣ କରୁ ଭାରତ’: ଭାଜପା ନେତା

ନୂଆଦିଲ୍ଲୀ,୩ ।୧: ଚାଇନା ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ମଙ୍ଗଳବାର ଏହାର ଜବାବ ଦେବାକୁ ଆଗେଇ ଆସିଛି ଭାରତୀୟ ଜନତା ପାର୍ଟି(ଭାଜପା) । ଭାଜପା ପ୍ରବକ୍ତା ସୁଘାଂଶୁ ତ୍ରିବେଦୀ ରାହୁଲଙ୍କୁ ସବୁବେଳେ ଭ୍ରମରେ ଥିବା ନେତା ବୋଲି କହିଛନ୍ତି । ସେ କହିଛନ୍ତି କଂଗ୍ରେସ ନେତା ଯାତ୍ରା ସମୟରେ ଭ୍ରମର ଶିକାର ହୋଇଯାଇଛନ୍ତି । କେବଳ ସାରା ଦେଶରେ ଯାତ୍ରା କରି ଭାରତକୁ ବୁଝିହେବନାହିଁ । ଆପଣଙ୍କୁ ଭାରତୀୟତାକୁ ବୁଝିବାକୁ ପଡିବ ।

ସୁଘାଂଶୁ ତ୍ରିବେଦି ଜବାହଲାଲ ନେହେରୁଙ୍କ ‘ଡିସକଭରି ଅଫ ଇଣ୍ଡିଆ’ର ସ୍ପଷ୍ଟ ସନ୍ଦର୍ଭ ଦେଇ କହିଛନ୍ତି, ଭାରତର ପରିଚୟ ଖୋଜି ଚାଲିଛନ୍ତି ଗାନ୍ଧୀ ପରିବାରର ୪ ପିଢି । ତ୍ରିବେଦି ସୀମାରେ ଲାଗିରହିଥିବା ଉତ୍ତେଜନାକୁ ନେଇ ରାହୁଲ ଦେଇଥିବା ଟିପଣିକୁ ଲକ୍ଷ୍ୟ କରି କହିଛନ୍ତି, ରାହୁଲ ଗାନ୍ଧୀ ତାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି କି ଭାରତକୁ ଚାଇନା ସାମ୍ନାରେ ସେହିପରି ଭାବେ ଆତ୍ମସମର୍ପଣ କରିବା ଦରକାର ଯେମିତି ତାଙ୍କ ଦଳର ସରକାର ଥିବା ସମୟରେ ହେଉଥିଲା ।
ଭାଜପା ନେତା ଆହୁରି ମଧ୍ୟ କହିଛନ୍ତି, ସାକ୍ଷାତ୍‌କାର ସବୁବେଳେ ଭ୍ରମିତ ଓ ଚିନ୍ତାଗ୍ରସ୍ତ ଥିବା ନେତା ଓ ଭ୍ରମିତ ଫିଲ୍ମଷ୍ଟାରଙ୍କ ମଧ୍ୟରେ ଥିଲା । ହେଲେ ସେ ଭାରତର ଭ୍ରମ ଦୂର କରିଦେଇଛନ୍ତି । ଚାଇନାକୁ ନେଇ ରାହୁଲଙ୍କ ବୟାନ ସଙ୍କେତ ଦେଉଛି କି ଭାରତକୁ ଚାଇନା ସାମ୍ନାରେ ନଇଁ ଯିବା ଦରକାର ।

Share