ବିରୋଧୀଙ୍କୁ ରାହୁଲଙ୍କ ଅପିଲ୍‌: କହିଲେ-ଭାଜପାର ସାହସ ନାହିଁ ଯେ ସେ…

ନୂଆଦିଲ୍ଲୀ, ୨୯।୧୦: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ଏବଂ ଏସଆଇଆର୍‌ ବିରୋଧରେ ଇଣ୍ଡିଆ ମେଣ୍ଟର ରାଲି ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ବିରୋଧୀ ଦଳ ଏବଂ ଛାତ୍ର ସଂଗଠନଗୁଡ଼ିକୁ ଏକ ବଡ଼ ଆହୱାନ ଦେଇଛନ୍ତି। ସେ କହିଛନ୍ତି, ଦିଲ୍ଲୀର ରାମଲୀଳା ମଇଦାନକୁ ଆସନ୍ତୁ। ଗଣତନ୍ତ୍ରକୁ ବଞ୍ଚାଇବା, ଭୋଟ ଚୋରି ରୋକିବା ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଏହି ପଦଯାତ୍ରା। ଏହା କୌଣସି ଗୋଟିଏ ରାଜନୈତିକ ଦଳର ପଦଯାତ୍ରା ନୁହେଁ, ବରଂ ଏହା ହେଉଛି ହିନ୍ଦୁସ୍ତାନର ଆତ୍ମାର ପଦଯାତ୍ରା।

ରାହୁଲ ଗାନ୍ଧି କହିଛନ୍ତି, ଯେଉଁମାନେ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ଜ୍ଞାନେଶ କୁମାରଙ୍କ କାର୍ଯ୍ୟକଳାପରେ ଅତିଷ୍ଠ, ଯେଉଁମାନେ ଗଣତନ୍ତ୍ରକୁ ବଞ୍ଚାଇବାକୁ ଏବଂ ସମ୍ବିଧାନର ସୁରକ୍ଷା କରିବାକୁ ଚାହୁଁଛନ୍ତି, ସେମାନେ ସମସ୍ତେ ଆସନ୍ତୁ। ଏହା ଗୋଟିଏ ମାତ୍ର ପ୍ରତିବାଦ ଏହା ଦେଶର ପ୍ରତିବାଦ।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ପୋଲିସକୁ ନେଇ ଚିନ୍ତା କରନ୍ତୁ ନାହିଁ, ଲାଠିମାଡ଼କୁ ନେଇ ମଧ୍ୟ ଚିନ୍ତା କରନ୍ତୁ ନାହିଁ। ଭାଜପାରେ ଏଭଳି କୌଣସି ପଦକ୍ଷେପ ନେବାକୁ ସାହସ ନାହିଁ। ଆମ ସହ ଆସନ୍ତୁସମ୍ବିଧାନର ସୁରକ୍ଷା ଏବଂ ଭାରତୀୟ ରାଷ୍ଟ୍ରର ସୁରକ୍ଷା ପାଇଁ ଆମେ ଏକାଠି ଆଗକୁ ବଢ଼ିବା। ଭୟ କରିବାର କୌଣସି ଆବଶ୍ୟକତା ନାହିଁ।

ରାହୁଲ କହିଛନ୍ତି, ମୁଁ ସମସ୍ତ ଛାତ୍ର ସଂଗଠନକୁ ଅନୁରୋଧ କରୁଛି, ଆପଣଙ୍କର ରାଜନୈତିକ ସମ୍ପର୍କ ଯାହା ବି ହେଉ, ଯଦି ଆପଣଙ୍କୁ ଲାଗୁଛି ଯେ ଭାରତ ଉପରେ ଆକ୍ରମଣ ହେଉଛି, ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଉପରେ, ଆପଣଙ୍କ ଅଭିବ୍ୟକ୍ତିର ସ୍ବାଧୀନତା, ଆପଣଙ୍କ ବିଚାର ଏବଂ ଚିନ୍ତାଧାରା ଉପରେ ଆକ୍ରମଣ ହେଉଛି, ତେବେ ଆସନ୍ତୁ ଏବଂ ଆମ ସହ ଯୋଗ ଦିଅନ୍ତୁ। ଏହା ଏକ ଚମତ୍କାର ପଦଯାତ୍ରା ହେବ ଏବଂ ଏହା ଦେଶର ଆତ୍ମାର ସୁରକ୍ଷା ପାଇଁ ଏକ ପଦଯାତ୍ରା। ଆପଣ ସମସ୍ତଙ୍କୁ ସେଠାରେ ଦେଖିବାକୁ ମୁଁ ଅପେକ୍ଷା କରିଛି।

ଇଣ୍ଡିଆ ମେଣ୍ଟର ଦୁଇଟି ପ୍ରମୁଖ ଦାବି ରହିଛି। ପ୍ରଥମଟି ହେଉଛିଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ ଏବଂ ଦ୍ୱିତୀୟଟି ହେଉଛିଏସଆଇଆର୍‌ ପ୍ରକ୍ରିୟା ଉପରେ ରୋକ ଲଗାଯାଉ। ଏହି ଦାବିକୁ ନେଇ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବିଶାଳ ରାଲି ଆୟୋଜନ କରାଯିବ। ଏହା ପୂର୍ବରୁ ଅକ୍ଟୋବର ୩୦ ତାରିଖରେ ବିରୋଧୀ ଦଳଗୁଡ଼ିକ ଜ୍ଞାନେଶ କୁମାରଙ୍କ ବିରୋଧରେ ଜନସାଧାରଣଙ୍କ ପକ୍ଷରୁ ମହାଭିଯୋଗ ଆଣିବାକୁ ଘୋଷଣା କରିଛନ୍ତି।

 

Dharitri – Odisha’s No.1 Odia Daily

Share