ଭୁବନେଶ୍ୱର,୯ା୭(ରବିନାରାୟଣ ଜେନା): ଓଡ଼ିଶା ପ୍ରଦେଶ କଂଗ୍ରେସର ମଙ୍ଗ ଭକ୍ତ ଚରଣ ଦାସ ଧରିବା ପରେ ଶୀଥିଳ ହୋଇପଡ଼ିଥିବା କଂଗ୍ରେସ ସଙ୍ଗଠନ ଏବେ ସକ୍ରିୟ। ଭକ୍ତଙ୍କ ଆହ୍ବାନରେ କଂଗ୍ରେସ କର୍ମୀ ଏକତ୍ରିତ ହୋଇଉଠୁଥିବାବେଳେ ଚଳିତମାସ ୧୧ରେ ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ମନ୍ତ୍ର ଓଡ଼ିଶାରେ କଂଗ୍ରେସକୁ ପୁଣି କିଭଳି କ୍ଷମତାକୁ ଫେରାଇ ଆଣିବ ସେହି ଦିଗରେ ଭକ୍ତ ଓ ତାଙ୍କ ଟିମ୍ ପୂରାଦମ୍ରେ ଲାଗିପଡ଼ିଛନ୍ତି।
ରାହୁଲଙ୍କ ଗସ୍ତ ପୂର୍ବରୁ ଦଳ ପକ୍ଷରୁ ଏକାଥରକେ ୨୨ଟି ସ୍ଥାନରେ ଖବରଦାତା ସମ୍ମିଳନୀ ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟ କଂଗ୍ରେସର ସାଂସଦ, ବିଧାୟକ, ବରିଷ୍ଠ ଓ କନିଷ୍ଠ ନେତାଙ୍କୁ ସାଙ୍ଗରେ ନେଇ ‘ସମ୍ବିଧାନ ବଞ୍ଚାଅ’ ସମାବେଶକୁ ସଫଳ କରିବା ଲକ୍ଷ୍ୟରେ ପିସିସି ସଭାପତି ଲାଗିପଡ଼ିଛନ୍ତି। କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଭକ୍ତ ଯେଉଁ ସଂଗ୍ରାମ ଆରମ୍ଭ କରିଛନ୍ତି, ତାହା ସହରରୁ ଏବେ ଗଁାମୁହାଁ ହୋଇଥିବା ଦେଖାଯାଉଛି। ଆସନ୍ତା ୧୧ ତାରିଖରେ ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ମନ୍ତ୍ର କଂଗ୍ରେସକୁ ନୂଆ ଦିଶା ଦେବ ବୋଲି ଏବେଠାରୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଭକ୍ତ ଦାୟିତ୍ୱ ନେବା ଦିନ ଶ୍ରୀକ୍ଷେତ୍ରରୁ ସଂକଳ୍ପ ଯାତ୍ରା ଆରମ୍ଭକରି ଏବେ ରାଜ୍ୟରେ କଂଗ୍ରେସକୁ ବିକଳ୍ପ ଦଳ ଭାବେ ଲୋକଙ୍କ ପାଖକୁ ନେବା ପାଇଁ ବିଭିନ୍ନ ପ୍ରସଙ୍ଗକୁ ଆଧାର କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରେ ଯାଉଥିବା ତାଙ୍କ ନାଗରିକଙ୍କୁ ସତର୍କ କରାଇ ଓଡ଼ିଶା ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ଏଭଳି କ୍ଷେତ୍ରରେ କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ମୋହନ ସରକାର ୧୧ ବନାମ ୧ ବର୍ଷର ଯେଉଁ ସଫଳ ବାର୍ତ୍ତା ବାଣ୍ଟୁୁଥିଲେ, ତାହାକୁ କଂଗ୍ରେସ ବିଫଳ ବାତ୍ତର୍ର୍ାରେ ପରିବର୍ତ୍ତିତ କରିବା ପାଇଁ ଲାଗିପଡ଼ିଛି। କଂଗ୍ରେସର ଜନଆନ୍ଦୋଳନ କ୍ରମେ ସାଧାରଣ ଜନତାଙ୍କୁ ଆକୃଷ୍ଟ କରୁଛି। ଏଭଳି ସ୍ଥିତିରେ ରାଜ୍ୟ ସଙ୍ଗଠନକୁ ଅଧିକ ବଳ ଦେବା ପାଇଁ ରାହୁଲ ଗାନ୍ଧୀଙ୍କ ଗସ୍ତ କଂଗ୍ରେସକୁ ଆଶୀର୍ବାଦ ସଦୃଶ ହେବ ବୋଲି ଭକ୍ତ କହିଛନ୍ତି। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲାରୁ ଆରମ୍ଭକରି ଉପକୂଳ, ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର କଂଗ୍ରେସ ନେତାମାନଙ୍କୁ ରାହୁଲଙ୍କ ଗସ୍ତ ଓ ଜନସମାବେଶକୁ ସଫଳ କରିବା ପାଇଁ ଭକ୍ତ ଆହ୍ବାନ ଦେଇଛନ୍ତି।
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ପଦଯାତ୍ରା ଓ ଜାତିଗଣନା ପାଇଁ ଜୋର୍ ଦେବା ଯୋଗୁ କେନ୍ଦ୍ର ସରକାର ବାଧ୍ୟ ହୋଇ ଜାତିଗଣନା ଲାଗି ଘୋଷଣା କରିଥିଲେ। ଏହି ପ୍ରସଙ୍ଗକୁ ମଧ୍ୟ ଭକ୍ତ ଅଗ୍ରାଧିକାର ଦେଇ ଦଳର ଛାମୁଆ ସଙ୍ଗଠନକୁ ଏକାଠିକରି କଂଗ୍ରେସକୁ ଏକ ଉତ୍ତରଦାୟୀ ରାଜନୈତିକ ଦଳ ଭାବେ ପ୍ରମାଣିିତ କରିବା ନିମନ୍ତେ ଆଗଭର ହୋଇଛନ୍ତି।


