Categories: ଜାତୀୟ

ଗୃହରେ କହିବାକୁ ସୁଯୋଗ ମିଳିଲେ, ନିଜ ମତାମତ ରଖିବି: ରାହୁଲ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ସଂସଦର ପ୍ରକ୍ରିୟାରେ ଭାଗ ନେବାକୁ ପହଞ୍ଚିଛନ୍ତି। ଲଣ୍ଡନରେ ସଂସଦ ଉପରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗିବା ପ୍ରସଙ୍ଗ ଉପରେ ରାହୁଲ କହିଛନ୍ତି, ଯଦି ତାଙ୍କୁ ଗୃହରେ କହିବାର ସୁଯୋଗ ଦିଆଯାଏ, ତେବେ ସେ ତାଙ୍କ ମତାମତ ଉପସ୍ଥାପନ କରିବେ।
ନିକଟରେ ରାହୁଲ ଗାନ୍ଧୀ ଲଣ୍ଡନରୁ ଫେରିଛନ୍ତି। ରାହୁଲ ବ୍ରିଟେନର କେମ୍ବ୍ରିଜ୍‌ ୟୁନିଭର୍ସିଟିରେ ଭାରତୀୟ ଗଣତନ୍ତ୍ର ଉପରେ ମନ୍ତବ୍ୟ ଦେଇଥିଲେ। ଲୋକ ସଭାରେ ବିରୋଧୀଙ୍କ ସ୍ବରକୁ ଦମନ କରାଯାଉଥିବା ଅଭିଯୋଗ କରି ଲଣ୍ଡନରେ କହିଥିଲେ ଯେ, ବିରୋଧୀ ଦଳର ନେତାଙ୍କ ମାଇକ ବନ୍ଦ କରିଦିଆଯାଉଛି। ରାହୁଲଙ୍କ ବିବୃତ୍ତିକୁ ରାଜ୍ୟ ସଭା ଉପାଧ୍ୟକ୍ଷ ତଥା ଲୋକ ସଭା ବାଚସ୍ପତି ସମାଲୋଚନା କରିଛନ୍ତି। ସୋମବାର ଠାରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାର ସଂସଦର ଉଭୟ ଗୃହରେ କଂଗ୍ରେସ ବିରୋଧରେ ହଙ୍ଗାମା କରୁଥିବା ଦେଖାଯାଇଛି। ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ସେମାନେ ଅଡି ବସିଛନ୍ତି।
ରାହୁଲ ଗାନ୍ଧୀ କ୍ଷମା ମାଗିବା ପ୍ରଶ୍ନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ରାହୁଲ କ୍ଷମା ମାଗିବାର କୌଣସି ପ୍ରଶ୍ନ ଉଠୁନାହିଁ। ସରକାର ଅଭିବ୍ୟକ୍ତିର ସ୍ବାଧୀନତାକୁ ଭାଙ୍ଗିବାକୁ ଚାହୁଁଛନ୍ତି। ଏଠାରେ ଗଣତନ୍ତ୍ର ଦୁର୍ବଳ ହେଉଛି। ଯେଉଁମାନେ ସତ୍ୟ କହୁଛନ୍ତି ସେମାନଙ୍କୁ ଜେଲରେ ରଖାଯାଉଛି।

Share