Categories: ଜାତୀୟ

କଂଗ୍ରେସର ଲଢ଼େଇ ଏଭଳି ଚିନ୍ତାଧାରା, ଅନ୍ୟାୟ ବିରୋଧରେ: ରାହୁଲ

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଗୁନା ଜିଲାରେ ଏକ ଜମିକୁ ଖାଲି କରିବାକୁ ଯାଇଥିବା ପୋଲିସର ବର୍ବରକାଣ୍ଡକୁ ନେଇ ଚାରିଆଡୁ ପ୍ରତିକ୍ରିୟା ମିଳୁଛି। ଏହି କ୍ରମରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ମତ ରଖିଛନ୍ତି। ତାଙ୍କର ଲଢ଼େଇ ଏଭଳି ଚିନ୍ତାଧାରା ଏବଂ ଅନ୍ୟାୟ ବିରୋଧରେ ବୋଲି ରାହୁଲ କହିଛନ୍ତି। ଘଟଣା ସମ୍ପର୍କୀତ ଏକ ଭିଡିଓ ଶେୟାର କରି ରାହୁଲ ଏହା କହିଛନ୍ତି। ଭିଡିଓରେ ପୋଲିସକର୍ମୀମାନେ କୃଷକ ପରିବାରକୁ ପିଟୁଥିବା ଦେଖାଯାଉଛି।

ପ୍ରକାଶ ଥାଉ କି, ଗୁନାର ଏକ ବିଜ୍ଞାନ କଲେଜ ନାମରେ ଥିବା ଏକ ଜମିକୁ ଖାଲି କରିବାକୁ ପୋଲିସ ଟିମ୍‌ ପହଞ୍ଚିଥିଲା। ଏହି ଜମିରେ ଉକ୍ତ ଚାଷୀ ପରିବାର ଘର କରି ରହିଥିଲେ। ଏହା ଦେଖି ପୋଲିସ ତାଙ୍କୁ ନିର୍ଦ୍ଦୟ ଭାବେ ପିଟିଥିଲେ। ଏପରିକି ସେ ଲଗାଇଥିବା ଫସଲକୁ ମଧ୍ୟ ନଷ୍ଟ କରିଥିଲେ। ଆଖି ଆଗରେ ଫସଲ ନଷ୍ଟ ହେବା ସହ ପୋଲିସର ମାଡ ସହି ନ ପାରି ଉକ୍ତ ଦମ୍ପତି କୀଟନାଶକ ପିଇ ଦେଇଥିଲେ। ଏହାପରେ ସେମାନେ ଅଚେତ ହୋଇଯାଇଥିଲେ। ଏଥିରେ ମଧ୍ୟ ପୋଲିସର ହୃଦୟ ତରଳି ନ ଥିଲା। ଅଚେତ ଅବସ୍ଥାରେ ଏହି ଦମ୍ପତିକୁ ଘୋଷାଡି ଘୋଷାଡି ପୋଲିସ ଡାକ୍ତରଖାନା ନେଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share