Categories: ଜାତୀୟ

୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପରେ ରାହୁଲ କହିଲେ, ସତ୍ୟ ମୋର ଭଗବାନ

ନୂଆଦିଲ୍ଲୀ,୨୩।୩: ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ଏହାପରେ ରାହୁଲଙ୍କୁ ଅବଶ୍ୟ ଜାମିନ ମିଳିଛି। ଜେଲ୍‌ ଦଣ୍ଡାଦେଶ ପରେ ରାହୁଲ ଟୁଇଟ୍‌ ଯୋଗେ କହିଛନ୍ତି, ମୋର ଧର୍ମ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ। ସତ୍ୟ ମୋର ଭଗବାନ, ଅହିଂସା ଏହାକୁ ହାସଲ କରିବାର ମାଧ୍ୟମ।
୨୦୧୯ ଲୋକ ସଭା ନିର୍ବାଚନ ବେଳେ କର୍ନାଟକର କୋଲାରରେ ଏକ ରାଲିରେ ପ୍ରଚାର ବେଳେ ରାହୁଲ ମୋଦି ସରନେମ ବା ଉପନାମକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସବୁ ‘ମୋଦି’ ଚୋର ବୋଲି ମନ୍ତବ୍ୟ ଦେଇଥିଲେ ରାହୁଲ। ଏହାକୁ ନେଇ ଭାଜପା ବିଧାୟକ ତଥା ତତ୍କାଳିନ ପୂର୍ଣ୍ଣେସ୍‌ ମୋଦି କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଆଇପିସିର ଧାରା ୪୯୯, ୫୦୦ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅପରାଧ ପଞ୍ଜିକୃତ ହୋଇଥିଲା।
ଏହି ମାମଲାରେ ସୁରତ ଜିଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ରାହୁଲ ଗାନ୍ଧୀ କୋର୍ଟରେ କହିଛନ୍ତି ଯେ, ମୋର ବିବୃତ୍ତିରେ କାହାରି କିଛି କ୍ଷତି ହୋଇ ନାହିଁ। ଦଣ୍ଡ ହ୍ରାସ କରିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ ସେ ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ। ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚ ଏଚ ବର୍ମାଙ୍କ କୋର୍ଟ ଗତ ସପ୍ତାହରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ କୁ ରାୟ ଘୋଷଣା ତାରିଖ ଭାବରେ ସ୍ଥିର କରିଥିଲେ।

Share