ନୂଆଦିଲ୍ଲୀ, ୨୬।୧୦: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସେୱରେ କଂଗ୍ରେସ ନେତା ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାରକେଡ ପଛରେ ଯାଉଥିବା ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଛି। ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ରାଜୀବ କୃଷ୍ଣଙ୍କ ନିର୍ଦ୍ଦେଶରେ ଗଠିତ ଏହି ଟିମ ଦୁର୍ଘଟଣାର ପ୍ରକୃତ କାରଣ, ଘଟଣା ସମୟର ପରିସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ରହିଥିଲା କି ନାହିଁ, ସେସବୁର ତଦନ୍ତ କରିବ।
୨୦୨୬ ଅକ୍ଟୋବର ୨୬ ତାରିଖରେ ରାହୁଲ ଗାନ୍ଧୀଙ୍କ ସୁଲତାନପୁର ଗସ୍ତ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁସାରେ, ପୂର୍ବାଞ୍ଚଳ ଏକ୍ସପ୍ରେସେୱର ୯୧ କିଲୋମିଟର ମାଇଲଷ୍ଟୋନ ନିକଟରେ କାରକେଡ ପଛରେ ଯାଉଥିବା ପାଞ୍ଚଟି ଗାଡ଼ି ଏବଂ ଗୋଟିଏ ଆମ୍ବୁଲାନ୍ସ ପରସ୍ପର ସହ ଧକ୍କା ହୋଇଥିଲେ।
ଏହି ଦୁର୍ଘଟଣାରେ କଂଗ୍ରେସ କର୍ମୀ, ପଦାଧିକାରୀ ଏବଂ ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ଅନେକ ବ୍ୟକ୍ତି ଆହତ ହୋଇଥିବା ଖବର ମିଳିଥିଲା। ତେବେ ରାହୁଲ ଗାନ୍ଧୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ଏହି ଦୁର୍ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବା ପୂର୍ବରୁ ହିଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏବେ SIT ତଦନ୍ତ ମାଧ୍ୟମରେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ସୁରକ୍ଷା ବ୍ୟବସ୍ଥାରେ ସମ୍ଭାବ୍ୟ ତ୍ରୁଟି ସମ୍ପର୍କରେ ସ୍ପଷ୍ଟତା ଆସିବା ଆଶା କରାଯାଉଛି।